ଅଙ୍ଗନବାଡି କେନ୍ଦ୍ରକୁ ଉନ୍ନୀତ ହେଲେ ୨୮୩୬ ମିନି ଅଙ୍ଗନବାଡି କେନ୍ଦ୍ର । ବାର୍ଷିକ ଅତିରିକ୍ତ ୧୮.୭୫ କୋଟି ଟଙ୍କା ବହନ କରିବେ ରାଜ୍ୟ ସରକାର

1,689

କନକ ବ୍ୟୁରୋ: ରାଜ୍ୟର ୨୮୩୬ ମିନି ଅଙ୍ଗନବାଡିକୁ ଉନ୍ନୀତ କରାଯାଇ ଅଙ୍ଗନବାଡି କେନ୍ଦ୍ରରେ ରାଜ୍ୟ ସରକାର ପରିଣତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କୀତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଶିଶୁ ଓ ମହିଳା ମାନଙ୍କ ସ୍ବାସ୍ଥ୍ୟ ଓ ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ ୭୪୧୫୪ ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୧୦୪୧୬ ମିନି ଅଙ୍ଗନବାଡି ଥିଲା । ତନ୍ମଧ୍ୟରୁ ୨୮୩୬ ମିନି ଅଙ୍ଗନବାଡି ଏବେ ଉନ୍ନୀତ ହେଲା ।

ଏହାସହିତ ଏହି ଅଙ୍ଗନବାଡି କେନ୍ଦ୍ର ଗୁଡିକର ବିଭିନ୍ନ କାର୍ୟ୍ୟ ପରିଚାଳନା ପାଇଁ ଯଥା – ଔଷଧ, ଆସବାବପତ୍ର ଓ ପ୍ରଶାସନିକ ଖର୍ଚ୍ଚ ତୁଲାଇବା ପାଇଁ ଅଧିକ ପାଣ୍ଠିର ବ୍ୟବସ୍ଥା ମଧ୍ୟ କରାଯିବ । ଏଥିପାଇଁ ସାରା ରାଜ୍ୟରେ ୧୧୪ଟି ସୁପର ଭାଇଜର ପଦବୀ ସୃଷ୍ଟି କରାଯାଇଛି । ଏହି ଅପଗ୍ରେଡେସନ ସହିତ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀଙ୍କୁ ସହାୟତା କରିବା ପାଇଁ ଜଣେ ଜଣେ ଅଙ୍ଗନବାଡି ସହାୟକ ନିଯୁକ୍ତ କରାଯିବ । ଏହିପରି ୨୮୩୬ ଅଙ୍ଗନବାଡି ସହାୟକଙ୍କୁ ନିଯୁକ୍ତ କରାଯିବ ଏବଂ ଏହାସହିତ ୨୮୩୬ ମିନି ଅଙ୍ଗନବାଡି କର୍ମୀ ପଦବୀକୁ ଉନ୍ନୀତ କରାଯାଇ ଅଙ୍ଗନବାଡି କର୍ମୀ ପଦବୀ ସୃଷ୍ଟି କରାଯିବ । ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ଅତିରିକ୍ତ ୧୮,୭୫,୪୧,୪୪୦ ଟଙ୍କା ଖର୍ଚ୍ଚ କରିବେ ।