କନକ ବ୍ୟୁରୋ : ମଧ୍ୟପ୍ରଦେଶ ସୋହର ଜିଲ୍ଲାରେ ୩ବର୍ଷର ବାଳିକା ସୃଷ୍ଟି ବୋରୱେଲ ଗାତରେ ପଡି ଜୀବନ ହରାଇଛନ୍ତି । ୫୦ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ଶେଷରେ ସୃଷ୍ଟିଙ୍କ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଥିଲା ଉଦ୍ଧାରକାରୀ ଦଳ । ହେଲେ ଏହା ପ୍ରଥମ ଘଟଣା ନୁହେଁ ଗତ ୪ବର୍ଷ ମଧ୍ୟରେ ଖୋଲା ପଡିଥିବା ବୋରୱେଲ ଗାତରେ ପଡି ଏଭଳି ଭାବେ ୨୮୧ ପିଲାଙ୍କର ଜୀବନ ଯାଇଛି ।

Advertisment

ଏହା କେବଳ ସୃଷ୍ଟିର ଜୀବନ ଯିବା କଥା ନୁହେଁ ବରଂ ପ୍ରତିବର୍ଷ ଦେଶରେ ଏଭଳି ଅନେକ ପିଲା ଖୋଲାପଡିଥିବା ବୋରୱେଲ ଗାତରେ ପଡି ମୃତ୍ୟୁବରଣ କରୁଛନ୍ତି । ହେଲେ ଏଠାରେ ପ୍ରଶ୍ନ ଉଠୁଛି କି ଆଉ କେତେ ଜୀବନ ଗଲାପରେ ସରକାର ଏହା ଉପରେ କଡା ପଦକ୍ଷେପ ନେବେ । କାରଣ ଅଧିକାଂଶ ଲୋକ ବା ଅନେକ ଠିକାଦାର ଗଭୀର ନଳକୂଳ ଖୋଳିବା ବେଳେ ଯଦି କୌଣସି ଅସୁବିଧା ହେଉଛି ତେବେ ଗଭୀର ଗାତକୁ ଖୋଲା ଛାଡି ସେମାନେ ପଳାଇ ଯାଉଛନ୍ତି ଓ ଏହି ଗାତରେ ପଡି ଅନେକ ପିଲାଙ୍କର ଜୀବନ ଯାଉଛି ।

କ୍ଷେତ୍ରରେ ଖୋଲାପଡିଥିବା ବୋରୱେଲ ଗାତରେ ପଡି ମୃତ୍ୟୁବରଣ କରୁଥିବା ମାମଲା ଉପରେ ସୁପ୍ରିମକୋର୍ଟ ୨୦୧୦ ମସିହାରେ ଏକ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହା କୌଣସି ପ୍ରଭାବ ପକାଇ ନଥିଲା । ଏନସିଆରବିର ଏକ ରିପୋର୍ଟ ମୁତାବକ ଗତ ୪ବର୍ଷ ମଧ୍ୟରେ ବୋରୱେଲ ଗାତରେ ପଡି ୨୮୧ ଜଣ ପିଲାଙ୍କର ମୃତ୍ୟୁ ହୋଇଛି ।

ସୁପ୍ରିମକୋର୍ଟ ୨୦୧୦ ଫେବୃଆରୀ ୧୧ ତାରିଖରେ ବୋରୱେଲ ଗାତରେ ପଡି ମୃତ୍ୟୁ ମାମଲାରେ ଅନେକ ଗାଇଡ ଲାଇନ ଜାରି କରିଥିଲେ । ହେଲେ ଏହାର ପାଳନ କରାଯାଉ ନଥିବା ଦେଖିବାକୁ ମିଳୁଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବୋରୱେଲ ଖୋଳିବାର ୧୫ ଦିନ ଆଗରୁ ଜମି ମାଲିକ ସ୍ଥାନୀୟ ସରପଞ୍ଚକୁ ସୂଚନା ଦେବେ । ଅଧିକାରୀଙ୍କ ତତ୍ୱାବଧାନରେ ବୋରୱେଲ ଖୋଳାଯିବ । ବୋରୱେଲ ଖୋଲିବା ବେଳେ ସେହି ସ୍ଥାନରେ ସୂଚନା ବୋର୍ଡ ଲଗାଇବା ବାଧ୍ୟତାମୂଳକ । ବୋରୱେଲ ଚାରିପଟେ କଣ୍ଟାବାଡ ଘେରାଇବା ମଧ୍ୟ ବାଧ୍ୟତାମୂଳକ । ଖାଲି ପଡିଥିବା ଗାତକୁ ଢାଙ୍କିବାକୁ ମଜବୁତ ଷ୍ଟିଲ ଚାଦର ବ୍ୟବହାର କରାଯିବ । ବୋରୱେଲ କାମ ଶେଷ ହେବା ପରେ ଏହା ଆଖପାଖରେ ଥିବା ଗାତକୁ ସମ୍ପୂର୍ଣ୍ଣ ପୋତିଦିଆଯିବ ।

ଏନସିଆରବିର ରିପୋର୍ଟ ମୁତାବକ ସାରା ଦେଶରେ ୨୦୧୮ରୁ ୨୦୨୧ ମଧ୍ୟରେ ଅର୍ଥାତ ୪ବର୍ଷ ମଧ୍ୟରେ ୨୮୧ ଜଣ ବୋରୱେଲ ଗାତରେ ପଡି ପ୍ରାଣ ହରାଇଛନ୍ତି । ୨୦୧୮ ରେ ବୋରୱେଲ ଗାତରେ ପଡି ପ୍ରାଣ ହରାଇଥିବା ପିଲାଙ୍କ ସଂଖ୍ୟା ୧୨୧, ସେହିଭଳି ୨୦୧୯ ରେ ୬୨, ୨୦୨୦ରେ ୬୫ ଓ ୨୦୨୧ରେ ୩୩ ।