କନକ ବ୍ୟୁରୋ : ହାଇଦ୍ରାବାଦର ଏକ ରେଳଷ୍ଟେସନରେ ଅଟକି ରହିଥିବା ୨୮ଜଣ ଓଡିଆ ଶ୍ରମିକଙ୍କ ଫେରିବାର ବାଟ ଫିଟିଛି । ତେଲେଙ୍ଗାନାର ସହରାଂଚଳ ବିକାଶ ମନ୍ତ୍ରୀ କେ.ଟି ରାମାରାଓ ମଧ୍ୟ ଟୁଇଟ କରି ସ୍ଥାନୀୟ ପ୍ରଶାସନକୁ ଶ୍ରମିକଙ୍କ କଥା ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଶ୍ରମିକମାନଙ୍କ ପାଇଁ ଏକ ଗାଡିର ବ୍ୟବସ୍ଥା କରି ଘରକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେଟିଆର ।
ଏହା ପୂର୍ବରୁ ବିଧାୟକ ରୋହିତ ପୂଜାରି ଏହି ଶ୍ରମିକମାନଙ୍କ କଥା ବୁଝିବା ପାଇଁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲୋ କିପରି ସେମାନଙ୍କୁ ଓଡିଶାକୁ ଫେରାଇ ଅଣାଯିବ ସେନେଇ ଆଲୋଚନା କରିଥିଲେ । ହାଇଦ୍ରାବାଦର ଏକ ରେଳୱେ ଷ୍ଟେସନରେ ଫସିଛନ୍ତି ୨୮ ଜଣ ଓଡିଆ ଶ୍ରମିକ । ତିନି ଦିନ ହେଲା ଅଖିଆ, ଅପିଆ ହୋଇ ଷ୍ଟେସନରେ ଫସି ରହିଛନ୍ତି ସମ୍ବଲପୁର ଧମା ଅଂଚଳ ୨୮ ଜଣ ଶ୍ରମିକ ।
କିଛି ମାସ ପୂର୍ବରୁ ଆନ୍ଧ୍ରର ବିଭିନ୍ନ ଇଟାଭାଟିକୁ ଏମାନେ କାମ କରିବା ପାଇଁ ଯାଇଥିଲେ । ତେବେ ମହାମାରୀ ଯୋଗୁଁ ମାଲିକ ଏମାନଙ୍କୁ କିଛି ପାରିଶ୍ରମିକ ନଦେଇ ବାହାର କରିଦେଇଛି । ଫଳରେ ଏମାନେ ଅସହାୟ ହୋଇ ହାଇଦ୍ରାବାଦ ରେଳ ଷ୍ଟେସନରେ ଭୋକ ଉପାସରେ ପଡି ରହିଛନ୍ତି । ତୁରନ୍ତ ଉଦ୍ଧାର କରିବା ପାଇଁ ପ୍ରଶାସନକୁ ନିବେଦନ କରିଥିଲେ ସମ୍ବଲପୁର ଅଂଚଳର ଦାଦନ ଶ୍ରମିକମାନେ ।