କନକ ବ୍ୟୁରୋ : ଅନଲାଇନରେ ଘରକୁ ପୁରୁଣା ସୋଫା ମଗାଇଲେ, କିନ୍ତୁ ଘରେ ସୋଫା ପହଞ୍ଚିବା ପରେ ଯାହା ମିଳିଲା ତାହା ଆଶ୍ଚର୍ଯ୍ୟଚକିତ କରିଦେଲା । କାରଣ ଏହି ପୁରୁଣା ସୋଫା ଉକ୍ତ ବ୍ୟକ୍ତିଙ୍କୁ ଲକ୍ଷପତି କରିଛି । ଏହି ସୋଫା ଭିତରୁ ହିଁ ଉକ୍ତ ବ୍ୟକ୍ତିଙ୍କୁ ୨୮ ଲକ୍ଷ ଟଙ୍କା ମିଳିଛି । ଆଉ ଏଭଳି ଏକ ଘଟଣା ଏବେ ଆମେରିକାରୁ ସାମ୍ନାକୁ ଆସିଛି ।
ଆମେରିକାର ବିକି ଓମୋଡୁ ନାମକ ମହିଳା ଅନଲାଇନରେ ନୂଆ ଘର ପାଇଁ କିଛି ଆସବାବପତ୍ର ଖୋଜୁଥିଲେ । ଆଉ ଏହି ସମୟରେ ଏକ ୱେବସାଇଟରେ ସମାନ ଦିଶୁଥିବା ୨ଟି ସୋଫା ଓ ଚେୟାର ମିଳିଥିଲା । ସବୁଠୁ ବଡ କଥା ହେଲା, ଏହା ସମ୍ପୂର୍ଣ୍ଣ ମାଗଣା ମଧ୍ୟ ଥିଲା । ତେଣୁ ପ୍ରଥମେ ଏହାକୁ ବିଶ୍ୱାସ କରିନଥିଲେ ମହିଳା ଜଣକ । ଯେଉଁଥିପାଇଁ ୱେବସାଇଟରେ ଦିଆଯାଇଥିବା ନମ୍ବରରେ କଲ କରିଥିଲେ । ଏହି ସୋଫା କାହିଁକି ମାଗଣାରେ ଦେଉଛ ବୋଲି ପଚାରିଥିଲେ । ଆଉ ସୋଫା ଦେଉଥିବା ପରିବାର କହିଥିଲେ ଯେ, ତାଙ୍କର ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ପରେ ସମସ୍ତ ଆସବାବପତ୍ର ହଟାଇବାକୁ ଚାହୁଁଛନ୍ତି । ଏହାପରେ ଉକ୍ତ ସୋଫାକୁ ନେବାକୁ ମହିଳା ଜଣକ ହଁ ଭରିଥିଲେ ।
ସୋଫାକୁ ଘରକୁ ନେବା ପରେ ମହିଳା ଜଣକ ଏହାର ଯାଞ୍ଚ କରିଥିଲେ । ଆଉ ଏହି ସମୟରେ ସୋଫା ଭିତରେ କିଛି ଥିବାର ଜାଣିବାକୁ ପାଇଥିଲେ । ଆଉ ଏହାକୁ ଖୋଲିବା ପରେ ତାଜୁବ ହୋଇଯାଇଥିଲେ ମହିଳା । କାରଣ ସୋଫା ଭିତରେ ବିଭିନ୍ନ ଲଫାଫାରେ ୨୮ ଲକ୍ଷ ଟଙ୍କା ପାଇଥିଲେ ମହିଳା । ଆଉ ଏହି ଟଙ୍କା ପାଇବା ପରେ ତୁରନ୍ତ ଉକ୍ତ ପରିବାରକୁ ଜଣାଇଥିଲେ ମହିଳା । ଉକ୍ତ ପରିବାର ମହିଳାଙ୍କ ଏଭଳି ନିଃସ୍ୱାର୍ଥପରତା ପାଇଁ ୨ ଲକ୍ଷ ଟଙ୍କା ଦେଇଥିଲେ ।