ହାଇୱେ ଉପରେ ଓହ୍ଲାଇବ ଯୁଦ୍ଧ ବିମାନ, ନିର୍ମାଣ ହେବ ୨୮ହାଇୱେ କମ୍ ଏୟାର ଷ୍ଟ୍ରିପ: ସଡକ ପରିବହନ ମନ୍ତ୍ରାଳୟର ସୂଚନା

ଆପାତକାଳୀନ ଓ ଉଦ୍ଧାର କାର୍ଯ୍ୟ ପାଇଁ ହାଇୱେ ଉପରେ ଲ୍ୟାଣ୍ଡିଂ କରିବ ଯୁଦ୍ଧ ବିମାନ

172

କନକ ବ୍ୟୁରୋ: ହାଇୱେ ଉପରେ ଅବତରଣ କରିବ ଯୁଦ୍ଧ ବିମାନ । ଦେଶର ୨୮ଟି ସ୍ଥାନରେ ଏପରି ହାଇୱେ ନିର୍ମାଣ କରାଯାଉଛି ଯେଉଁଠାରେ ଆପାତକାଳୀନ ପରିସ୍ଥିତି କିମ୍ବା ଉଦ୍ଧାରକାର୍ଯ୍ୟ ପାଇଁ ଜରୁରୀ ଅବତରଣ କରିପାରିବ ଯୁଦ୍ଧ ବିମାନ । ଏହି ହାଇୱେ ଉପରେ ଏୟାର ଷ୍ଟ୍ରିପ୍ ନିର୍ମାଣ କରାଯିବ ଯେଉଁଠାରୁ ଯୁଦ୍ଧ ବିମାନ ଗୁଡିକ ଲ୍ୟାଣ୍ଡିଙ୍ଗ୍ ଓ ଟେକଅଫ୍ ମଧ୍ୟ କରିପାରିବ ।
ଏମରଜେନ୍ସି ହେଉ କି ଉଦ୍ଧାର କାର୍ଯ୍ୟ ପାଇଁ ହେଉ ଏହିସବୁ ଉଦ୍ଦେଶ୍ୟ ପାଇଁ ନ୍ୟାସନାଲ ହାଇୱେ ଗୁଡିକୁ ଲ୍ୟାଣ୍ଡିଙ୍ଗ ଏୟାର ଷ୍ଟ୍ରିପରେ ପରଣତ କରାଯିବ । ଏନେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ପ୍ରସ୍ତୁତି ଆରମ୍ଭ କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏଥିପାଇଁ ୨୮ଟି ସ୍ଥାନ ନିର୍ଦ୍ଧାରଣ କରାଯାଇଛି । ଏଠାରେ ହାଇୱେ ଗୁଡିକ ଏୟାର ଷ୍ଟ୍ରିପ ପାଇଁ ଆବଶ୍ୟକ ଲମ୍ବ ଓ ଚଉଡା ଅନୁସାରେ ନିର୍ମାଣ କରାଯାଉଛି ।ଯାହା ଫଳରେ ଆବଶ୍ୟକ ପଡିଲେ ଏଠାରେ ଯାନବାହାନ ଗମନାଗମନ ସହ ବାୟୁ ସେନାର ଯୁଦ୍ଧ ଜାହାଜ ଅବତରଣ ଓ ଆରୋହଣ କରିପାରିବ ।

ସଡକ ପରିବହନ ମନ୍ତ୍ରାଳୟର ସୂଚନା ମୁତାବକ, ଯୁଦ୍ଧ ବିମାନ ଅବତରଣ କରିବା ସମୟରେ ହାଇୱେର ଦୁଇ ପାଶ୍ୱର୍କୁ ବନ୍ଦ କରିଦିଆଯିବା ସହ ଜରୁରୀ ସେଫ୍ଟି ପ୍ରୋଟୋକଲ ଉପରେ ବିଶେଷ ଧ୍ୟାନ ଦିଆଯିବ । ଏପରି ଦୁଇଟି ଷ୍ଟ୍ରିପ୍ ଆନ୍ଧ୍ରପ୍ରଦେଶ ପ୍ରସ୍ତୁତ ସରିଛି । ପଶ୍ଚିମବଙ୍ଗ ସମେତ ଜମ୍ମୁ-କାଶ୍ମୀର,ପଂଜାବ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜରାଟ, ତାମିଲନାଡୁ, ବିହାର, ଆସାମ, ଓଡିଶାରେ ଏପରି ଏୟାର ଷ୍ଟ୍ରିପ୍ ହାଇୱେ ନିର୍ମାଣ ହେବା ପାଇଁ ଟେଣ୍ଡର ହେବା ପରେ ଜମି ଅଧିଗ୍ରହଣ କରିବାର ଯୋଜନା ଆରମ୍ଭ ହୋଇଛି ।
ପ୍ରାକୃତିକ ବିପର୍ଯ୍ୟୟ ସହ ଯୁଦ୍ଧ କାଳୀନ ପରିସ୍ଥିତିରେ ମଧ୍ୟ ଏହି ଷ୍ଟ୍ରିପ ଗୁଡିକୁ ବ୍ୟବହାର କରାଯିବ । ଯୁଦ୍ଧ ସମୟରେ ଶତ୍ରୁ ପକ୍ଷ ଅଧିକାଂଶତଃ । ଦେଶର ଗୁରୁତ୍ୱପୂର୍ଣ୍ଣ ଏୟାରବେସକୁ ଟାର୍ଗେଟ କରିଥାନ୍ତି । ଯାହା ଫଳରେ ଏଠାରେ ବାୟୁସେନାର ଯୁଦ୍ଧ ବିମାନ ଗୁଡିକ ଲ୍ୟାଣ୍ଡିଙ୍ଗ କିମ୍ବା ଟେକଅଫ୍ କରିନପାରେ । ଏପରି ସ୍ଥିତିରେ ଏୟାରବେସ୍ ଗୁଡିକ ଧ୍ୱଂସ ହୋଇଗଲେ ମଧ୍ୟ ହାଇୱେ ଗୁଡିକୁ ବିକଳ୍ପ ଭାବେ ବ୍ୟବହାର କରାଯିବାରେ କୌଣସି ସମସ୍ୟା ହେବ ନାହିଁ ବୋଲି ବାୟୁ ସେନା ଓ ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।