ଗୋରୁ ଚାଲାଣର ଗହନ କଥା ! ୩ବର୍ଷରେ ରାଜ୍ୟ ବାହାରକୁ ଚୋରା ଚାଲାଣ ହୋଇଛି ୨୭୮ଟି ଗାଈଗୋରୁ

146

କନକ ବ୍ୟୁରୋ: ଗୃହରେ ଆସିଲା ଗୋରୁ ଚାଲାଣ ତଥ୍ୟ । ଗତ ୩ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ୍ ୨୭୮ଟି ଗାଈ ବାହାର ରାଜ୍ୟକୁ ଚୋରା ଚାଲାଣ ହୋଇଛି । ଆଉ ଏହି ଗୋରୁ ଚୋରା ଚାଲାଣ ରାଜ୍ୟର ଦୁଇଟି ଜିଲ୍ଲା ବାଲେଶ୍ୱର ଏବଂ ନୟାଗଡ଼ ଜିଲ୍ଲାରୁ ଅଧିକ ମାତ୍ରାରେ ହୋଇଥିବା କହିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଅରୁଣ ସାହୁ । ବିଧାନସଭାର ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପ୍ରଶ୍ନର ଉତ୍ତର ରଖି ଏଭଳି କିଛି ତଥ୍ୟ ଗୃହରେ ଉପସ୍ଥାପନ କରିଛନ୍ତି ବିଭାଗୀୟ ମନ୍ତ୍ରୀ ।

ସବୁଠାରୁ ବଡ଼ କଥା ହେଲା କି, ଖୋଦ୍ ମନ୍ତ୍ରୀଙ୍କ ଜିଲ୍ଲା ନୟାଗଡ଼ରୁ ସର୍ବାଧିକ ଗୋ-ଚୋରା ଚାଲାଣ ହୋଇଥିବା କହିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଅରୁଣ ସାହୁ । ଗତ ତିନି ବର୍ଷ ମଧ୍ୟରେ ନୟାଗଡ଼ରୁ ମୋଟ୍ ୧୯୧ଟି ଗୋରୁଗାଈ ବାହାର ରାଜ୍ୟକୁ ଚୋରା ଚାଲାଣ କରାଯାଇଛି । ଆଉ ଏହି ନୟାଗଡ଼ରୁ ଚୋରା ଚାଲାଣ ବେଳେ ୬ଟି ମାମଲା ମଧ୍ୟରୁ ୧୭ ହଜାର ୮୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ।

ସେହିଭଳି ରାଜ୍ୟର ଅନ୍ୟତମ ଜିଲ୍ଲା ବାଲେଶ୍ୱର ଏହି ଗୋ-ଚାଲାଣ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି । ଗତ ୩ ବର୍ଷ ମଧ୍ୟରେ ବାଲେଶ୍ୱରରୁ ୮୭ଟି ଗୋରୁ ଗାଈ ବାହାର ରାଜ୍ୟକୁ ଚୋରା ଚାଲାଣ ହୋଇଛି । ଆଉ ମୋଟ୍ ୧୭ଟି ମାମଲା ଦ୍ୱାରା ୩ ହଜାର ୪୦୦ଟଙ୍କା ଜରିମାନା ଆଦାୟ ହୋଇଥିବା ଗୃହରେ ତଥ୍ୟ ରଖିଛନ୍ତି ବିଭାଗୀୟମନ୍ତ୍ରୀ । ତେବେ ଏହି ଦୁଇଟି ଜିଲ୍ଲାରୁ ଗତ ତିନି ବର୍ଷ ମଧ୍ୟରେ ମୋଟ୍ ୨୩ଟି ମାମଲା ରୁଜୁ କରାଯାଇଥିବା ବେଳେ ଗୋଟିଏ ବିଚାରଧୀନ ରହିଛି ଏବଂ ୨୧ ହଜାର ୨୦୦ଟଙ୍କା ଜରିମାନା ଆଦାୟ କରାଯାଇଛି । 

ସେହିପରି ରାଜ୍ୟର ପ୍ରତିଟି ଗୋରୁ ହାଟ ମାନଙ୍କରେ ବ୍ୟାନର ଏବଂ ପୋଷ୍ଟର ଲଗାଯାଇ ଜୀବ ନିଷ୍ଠୁରତା ନିରୋଧ ପରିବହନ ଆଇନକୁ କଡ଼ାକଡ଼ି ପାଳନ କରାଯାଉଥିବା ଗୃହରେ ରଖିଥିବା ଗୋ-ଚାଲାଣ ତଥ୍ୟରେ ଉଲ୍ଲେଖ ରହିଛି ।