ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ପାକିସ୍ତାନ ବିଶ୍ବ ସମୁଦାୟର ସମର୍ଥନ ହାସଲରେ ବିଫଳ ହେବାପରେ ଏବେ କଶ୍ମୀରରେ ହିଂସା ସୃଷ୍ଟି ନିମନ୍ତେ ଅହରହ ଉଦ୍ୟମ କରୁଛି। କଶ୍ମୀରକୁ ନେଇ ଅତି ମାତ୍ରାରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ନିୟନ୍ତ୍ରଣ ରେଖା ଅଂଚଳରେ ୫୦ରୁ ଅଧିକ ଆତଙ୍କବାଦୀ ତାଲିମ ଶିବିର ସକ୍ରିୟ କରିଛି। ଗୁଇନ୍ଦା ସୂତ୍ରରୁ ଜାଣିବାକୁ ମିଳିଛି ଯେ ଜମ୍ମୁ କଶ୍ମୀରରେ ଏବେ ୨୭୩ ଆତଙ୍କବାଦୀ ସକ୍ରିୟ ଅଛନ୍ତି ଏବଂ ସେମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ୍ କରବାକୁ ଷଡ଼ଯନ୍ତ୍ର ଚଳାଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫୮ ଆତଙ୍କବାଦୀ ଦକ୍ଷିଣ କଶ୍ମୀରରେ ସକ୍ରିୟ ଥିବା ବେଳେ ୯୬ ଆତଙ୍କବାଦୀ ଉତ୍ତର କଶ୍ମୀରରେ ଏବଂ ୧୯ ଜଣ ଆତଙ୍କବାଦୀ କେନ୍ଦ୍ରୀୟ କଶ୍ମୀରରେ ସକ୍ରିୟ ଅଛନ୍ତି।

Advertisment

publive-image

ଗୁଇନ୍ଦା ରିପୋର୍ଟରୁ ପ୍ରକାଶ ଯେ ଏମାନଙ୍କ ମଧ୍ୟରୁ ୧୬୬ ଆତଙ୍କବାଦୀ ସ୍ଥାନୀୟ ଏବଂ ବାକି ୧୦୭ ଜଣ ବିଦେଶୀ। ୧୧୨ ଜଣ ଆତଙ୍କବାଦୀ ପାକିସ୍ତାନର ଲସ୍କର ଏ ତୋଏବା ଗୋଷ୍ଠୀର। ୧୦୦ ଜଣ ହିଜବୁଲ୍ ମୁଜାହିଦ୍ଦିନ୍ର ଏବଂ ୫୯ ଜଣ ଜେଇଏମ୍ ଆତଙ୍କବାଦୀ ଗୋଷ୍ଠୀର ବୋଲି ଜଣାପଡ଼ିଛି। ପାକିସ୍ତାନ ଜମ୍ମୁ କଶ୍ମୀରକୁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାଇଁ କେରନ୍, ଗୁରେଜ୍ ଏବଂ ଗୁଲ୍ମାର୍ଗ ସେକ୍ଟର ସ୍ଥିତ ଏଲ୍ଓସିରେ ୩୦ଟି ଲଞ୍ଚ୍ପ୍ୟାଡ୍ ନିର୍ମାଣ କରିଛି। ପାକିସ୍ତାନ ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏହି ଲଞ୍ଚ୍ପ୍ୟାଡ୍କୁ ଆତଙ୍କବାଦୀ ପଠାଉଛନ୍ତି। କଶ୍ମୀର ସହ ଭାରତର ଅନ୍ୟ ଅଂଚଳରେ ମଧ୍ୟ ପାକିସ୍ତାନ ବଡ଼ ଧରଣର ଆକ୍ରମଣ କରିବାପାଇଁ ଷଡ଼ଯନ୍ତ୍ର କରୁଛି।\n