ସମୁଦ୍ର କୂଳରେ ପଡିରହିଛି ୨୭୨ ଟି ସିଲ୍ ଙ୍କ ମୃତ ଦେହ । ଚିନ୍ତାରେ ପରିବେଶ ବିଜ୍ଞାନୀ । ଖୋଜୁଛନ୍ତି ମୃତ୍ୟୁର କାରଣ

314

କନକ ବ୍ୟୁରୋ : ଋଷର ସବୁଠାରୁ ସୁନ୍ଦର ବେଳାଭୂମୀ କୁହାଯାଉଥିବା କାସ୍ପିଆନ ବେଳାଭୂମୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା   । ଏହି ବେଳାଭୂମୀର ଗୋଟିଏ ସ୍ଥାନରେ ପଡି ରହିଛି ୨୭୨ ଟି ସିଲ୍ ଙ୍କ ମୃତଦେହ । ଏକା ସାଙ୍ଗରେ ଏତେ ସଂଖ୍ୟକ ସିଲ୍ ଙ୍କ ମୃତ୍ୟୁ କିଭଳି ଓ କେଉଁ କାରଣରୁ ଘଟିଲା ତାହାକୁ ନେଇ ଚିନ୍ତାରେ ପଡିଛନ୍ତି ପରିବେଶ ବିଜ୍ଞାନୀ ମାନେ । ଚାରିପଟୁ ସ୍ଥଳଭାଗ ଥିବା ଏହି ସାଗର କୂଳରେ ସିଲଙ୍କ ମୃତଦେହ ଅଜରବୈଜାନ ସୀମା ପର୍ଯ୍ୟନ୍ତ ପଡି ରହିଥିବା ଋଷ୍ ଫେଡେରାଲ ଫିଶରୀ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଘଟଣା ସ୍ଥଳରେ ପରିବେଶ ବିଜ୍ଞାନୀ ମାନେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସେମାନଙ୍କର ପ୍ରାଥମିକ ତଦନ୍ତ ଚାଲିଥିବା ବେଳେ କାସ୍ପିଆନ ଠାରେ ଥିବା ପ୍ରକୃତି ସଂରକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଜୈର ଗପିଜୋୱ କହିଛନ୍ତି କି ଶିକାରୀ ମାନଙ୍କ ଦ୍ୱାରା ମାଛ ଧରିବାକୁ ସମୁଦ୍ରରେ ବିଛା ଯାଇଥିବା ପ୍ଲାଷ୍ଟିକ ଜାଲରେ ପଡି ଏମାନଙ୍କର ମୃତ୍ୟୁ ହୋଇଥାଇ ପାରେ ।

ଅନ୍ୟପଟେ ସାଗରକୁ ଘେରି ରହିଥିବା ଅଜରବୈଜାନ, ଇରାନ, କଜାଖସ୍ତାନ, ଋଷ୍ ଓ ତୁର୍କୀମେନିସ୍ତାନରୁ ବହୁ ପରିମାଣର ଅପରିଷ୍କାର ପାଣି ଏହି ସମୁଦ୍ର ମଧ୍ୟରେ ପ୍ରବେଶ କରୁଥିବାରୁ ବି ସିଲ୍ ମାନଙ୍କର ମୃତ୍ୟୁ ହୋଇଥିବା କିଛି ବୈଜ୍ଞାନିକ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ଦୁଷିତ ପାଣି ପ୍ରବେଶ ଦ୍ୱାରା ଅନେକ ସମୟରେ ସମୁଦ୍ରରେ ରହୁଥିବା ବିରଳ ଜୀବ ମାନଙ୍କର ମୃତ୍ୟୁ ହେଉଥିବା ବି କୁହାଯାଇଛି । ହେଲେ ପ୍ରଥମ ଥର ପାଇଁ ଏତେ ପରିମାଣର ସିଲ ମାନଙ୍କର ମୃତ୍ୟୁକୁ ନେଇ ପରିବେଶ ବିଜ୍ଞାନୀ ମାନଙ୍କ ଚିନ୍ତା ବଢିଛି । ଏନେଇ ସମୁଦ୍ରକୂଳରେ ପରିବେଶ ବିଜ୍ଞାନୀ ମାନେ ଜମା ହୋଇ ସିଲ୍ ମାନଙ୍କ ମୃତ୍ୟୁର କାରଣ ଖୋଜୁଛନ୍ତି ।