କନକ ବ୍ୟୁରୋ : ରାଜସ୍ଥାନର ସିକର ସହରର ଦେବୀପୁରା ବାଲାଜୀ ମନ୍ଦିରରେ ଭଗବାନ ହନୁମାନଙ୍କ ପାଖରେ ନିଆରା ଢଙ୍ଗରେ ଭୋଗ ଲାଗି ହୋଇଛି । ସାଧାରଣତଃ ହନୁମାନଙ୍କ ମନ୍ଦିରରେ ଲଡୁ, ମିଠା, କଦଳୀ ଏବଂ ଅନ୍ୟାନ ଫଳମୂଳ ଲାଗି ହେଉଥିବା ବେଳେ ଦେବୀପୁରା ବାଲାଜୀ ମନ୍ଦିରରେ ୨୭କିଲୋର ରୁଟି ତିଆରି ହୋଇଥିଲା । ଭଗବାନଙ୍କ ପାଖରେ ଲାଗି ହୋଇଛି ଏହି ବିଶାଳ ରୋଟ୍ ବା ରୁଟି । ଏହି ରୁଟିକୁ ବନାଇବା ପାଇଁ ଲାଗିଥିଲେ ୨୦ଜଣ କାରିଗର । ପାଖାପାଖି ୨୩ଘଣ୍ଟାର ପରିଶ୍ରମ ପରେ ମହାବଳି ବଜରଙ୍ଗବଲିଙ୍କ ପାଖରେ ଲାଗି ହେବା ପାଇଁ ରୁଟି ପ୍ରସ୍ତୁତ ହୋଇଥିଲା ।

Advertisment

ଦେବୀପୂରା ବାଲାଜୀ ମନ୍ଦିରରେ ଗତ ଶୁକ୍ରବାର ସକାଳ ସାଢେ ୪ଟାରେ ଆରମ୍ଭ ହୋଇଥିଲା ରୁଟି ତିଆରି ପ୍ରକ୍ରିୟା । ୨୦ଜଣ କାରିଗର କ୍ରେନ୍ ସାହାଯ୍ୟରେ ଅଟା ଚକଟିବା ସହ କ୍ରେନରେ ରୋଲର ଲଗାଇ ଅଟାକୁ ବେଲା ଯାଇଥିଲା । ଏହାପରେ ବିଶାଳ ରୁଟିକୁ ତାୱା ସହିତ କ୍ରେନ୍ ସାହାଯ୍ୟରେ ଉଠାଇ ବିଶାଳ ଭାଟିରେ ରଖାଯାଇଥିଲା । ଏହା ପରେ ରୁଟିକୁ ସେଖିବା ପ୍ରକ୍ରିୟା ରାତି ତମାମ୍ ଚାଲିଥିଲା । ତେବେ ଏହି ରୁଟିରେ ୧୧ଶହ କିଲୋ ଅଟା, ୭ଶହ କିଲୋ ସୁଜୀ, ୪ଶହ କିଲୋର ଚୁରମା, ୮ଶହ କିଲୋର ଡ୍ରାଇଫୁଡ୍, ୪୫୦କେଜି ମିଶିରି ଏବଂ ଦେଶି ସୁଦ୍ଧ ଗାଇ ଘିଅ ପକାଯାଇ ଏହି ବିଶାଳ ରୁଟି ପ୍ରସ୍ତୁତ କରାଯାଇଥିଲା । ଆଜି ପ୍ରାୟ ସକାଳ ସାଢେ ୮ଟାରେ ଏହି ଭୋଗକୁ ହନୁମାନଙ୍କ ପାଖରେ ଲାଗି କରାଯାଇଥିଲା । ଏହାପରେ ଏହି ପ୍ରସାଦକୁ ଭକ୍ତଙ୍କ ମଧ୍ୟରେ ବଣ୍ଟାଯାଇଥିଲା ।