କନକ ବ୍ୟୁରୋ : ବିପଦରେ ବିଧାୟକ । ଗୃହର ବିରୋଧୀ ଦଳର ୨୭ ଜଣ ବିଧାୟକ ଏବେ ବିପଦରେ । ଖଣି ମାଫିଆ ମାନେ କେବେ ବି ତାଙ୍କ ଜୀବନ ନେଇ ପାରନ୍ତି । ଯେହେତୁ ସେମାନେ ଖଣିମାଫିଆ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ତେଣୁ ସେମାନଙ୍କର ଜୀବନ ବିପଦରେ । କେତେବେଳେ କଣ ଘଟିବ, କିଏ ଆମକୁ ସୁରକ୍ଷା ଦେବ । ଆପଣ ଆମର ରକ୍ଷାଦାତା, ଆମକୁ ରକ୍ଷା କରନ୍ତୁ । ଶୂନ୍ୟକାଳରେ ଏପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ସୁରକ୍ଷା ଲୋଡିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ କୁମାର ମାଝୀ ।

Advertisment

ବାଲି ,ଲୁହାପଥର, ମୋରମ,ମାଟି ବେଆଇନ ଭାବେ ଚାଲାଣ ହେଉଛି । ବିନା ଟ୍ରାନଜିଟ ପାସରେ ବାଲି ଉଠୁଛି । ୩୫ହଜାର କୋଟିର ଲୁଟ ହେଉଛି ଲଘୁ ଖଣିଜ ଦ୍ରବ୍ୟ। ତେଣୁ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ଏବେ ୨୭ ଜଣ ବିଧାୟକଙ୍କ ଜୀବନ ବିପଦରେ । ମାଫିଆଙ୍କ ଟାର୍ଗେଟରେ ୨୭ ଜଣ ବିଧାୟକ ରହିଛନ୍ତି । ତେଣୁ ବାଚସ୍ପତି ଆମକୁ ସୁରକ୍ଷା ଦିଅନ୍ତୁ ବୋଲି କହିଛନ୍ତି ମୋହନ ।

ଏହାପୂର୍ବରୁ ଗତକାଲି ଯାଜପୁରରେ ବାଲିମାଫିଆଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଦଶରଥପୁର ତହସିଲଦାର ଅଭିନାଶ ବିଶ୍ୱଜିତ୍ ସେଠୀଙ୍କୁ ଟ୍ରାକ୍ଟର ଚଢାଇବାକୁ ଉଦ୍ୟମ ବେଳେ ସେ ଅଳ୍ପକେ ବର୍ତିଯାଇଛନ୍ତି । ଏନେଇ ସେ ମଙ୍ଗଳପୁର ଥାନାରେ ଏତଲା ଦେଇଛନ୍ତି ତହସିଲଦାର । ଏହି ଘଟଣାରେ ଟ୍ରାକ୍ଟରଟିକୁ ଜବତ କରାଯାଇଛି ।
ଗତକାଲି ବୈତରଣୀ ନଦୀ କଷପା ପଂଚାୟତ ପଲାସାହି ନିକଟରୁ ବେଆଇନ ବାଲିଚାଲାଣ ହେଉଥିବା ଖବର ପାଇ ତହସିଲଦାର ଘଟଣାସ୍ଥଳରେ ପହଂଚିଥିଲେ । ଟ୍ରାକ୍ଟରଟିକୁ ଜବତ କରିବାକୁ ଉଦ୍ୟମ ବେଳେ ଟ୍ରାକ୍ଟରଟି ଜୋରରେ ତହସିଲଦାରଙ୍କ ଆଡ଼କୁ ମାଡ଼ି ଆସିଥିଲା । ଟ୍ରାକ୍ଟରଟି ନମ୍ବର ବୀହିନ ଥିବା ବେଳେ ଥାନାକୁ ଆସିବା ପୂର୍ବରୁ ଗାଡ଼ିର ରଙ୍ଗ ବଦଳାଇ ଦେଇଥିଲେ ଗାଡ଼ି ମାଲିକ । ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ସେପଟେ ଏହି ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି । ଦଶରଥପୁର ଅଂଚଳରେ ଅନେକ ବେଆଇନ ବାଲିଘାଟ ଚାଲୁଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ନିଦାବିଷ୍ଣୁ ସାଜିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ।