କନକ ବ୍ୟୁରୋ : ଜାପାନର ଓସାକା ସହରର ଏକ କୋଠାରେ ଅଗ୍ନିକାଣ୍ଡ ଘଟି ୨୭ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ମୁତାବକ ଓସାକା ବଜାରରେ ଥିବା ଏକ ଆଠ ମହଲା କୋଠାର ଚତୁର୍ଥ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।  ବର୍ତ୍ତମାନ ସୁଦ୍ଧା ୨୭ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ୨୮ ଜଣ ଲୋକ ଆହତ ହୋଇଛନ୍ତି। ତେବେ ଏବେ ବି କିଛି ଲୋକ ଫସିରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି।

Advertisment

ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଜାପାନର ବାଣିଜ୍ୟିକ ସହର ଭାବେ ପରିଚିତ ଓସାକା ସହରରେ ଥିବା ଏହି କୋଠାରେ ଆଜି ସକାଳୁ ହଠାତ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ଏହି ନିଆଁ ଚାରିଆଡ଼କୁ ବ୍ୟାପିଯାଇଥିଲା ।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ବିଲ୍ଡିଂର ଚତୁର୍ଥ ମହଲାରେ ଏକ କ୍ଲିନିକ ଥିବାବେଳେ ଏଠାରେ ମାନସିକ ରୋଗୀମାନଙ୍କର ଚିକିତ୍ସା ହେଉଥିଲା ।

ନିଆଁ ଲାଗିଯିବା ଦେଖି କିଛି ରୋଗୀଙ୍କୁ ବାହାରକୁ ଅଣାଯାଇଥିଲା । ଓସାକା ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ନିଆଁ ଲିଭାଇବାକୁ ୭୦ଟି ଦମକଳ ଗାଡି ନିୟୋଜିତ ହୋଇଥିଲା । ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅଗ୍ନିକାଣ୍ଡର କାରଣ ଖୋଜାଯାଉଛି ।