ଗଜପତିରେ ଗତ ୨ ଦିନରେ ୨୬ ଶିକ୍ଷକ କରୋନା ପଜିଟିଭ: ସୂଚନା ଦେଲେ ସିଡିଏମଓ ପ୍ରଦୀପ ପାତ୍ର; ସ୍କୁଲ ଖୋଲିବାକୁ ଦୃଷ୍ଟିରେ ରଖି ହୋଇଥିଲା ନମୂନା ପରୀକ୍ଷା

144

କନକ ବ୍ୟୁରୋ: ଗଜପତି ଜିଲ୍ଲାରେ ୨ ଦିନ ମଧ୍ୟରେ ୨୬ ଜଣ ଶିକ୍ଷକ କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଛି । ଶୁକ୍ରବାର ୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଶନିବାର ଆଉ ୧୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା କହିଛନ୍ତି, ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର । ସେମାନଙ୍କ ମଧ୍ୟରୁ ୨୬ ଜଣ ଶିକ୍ଷକ ପଜିଟିଭ୍ ଥିବା ଜଣାପଡିଛି । ଅନ୍ୟପଟେ ୨ ଜଣ ଛାତ୍ର କରୋନା ସଂକ୍ରମିତ ଥିବା ସୂଚନା ଦେଇଛନ୍ତି ସିଡିଏମଓ । ସ୍ୱଳ୍ପ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ କୋଭିଡ୍ କେୟାର ସେଂଟରରେ ରଖାଯାଇଥିବା ବେଳେ ଅନ୍ୟମାନଙ୍କୁ ହୋମ୍ ଆଇସୋଲେସନ୍ରେ ରଖାଯାଇଛି ଏବଂ ଏସବୁ ଅଂଚଳକୁ କଂଟେନ୍ମେଂଟ ଜୋନ୍ ଭାବେ ଘୋଷଣା କରିଛନ୍ତି ତହସିଲ ।

ରାଜ୍ୟ ସରକାର ଘୋଷଣା କରିଥିବା ଏସଓପି ଅନୁସାରେ ଏହି ଶିକ୍ଷକମାନେ ଚିକିତ୍ସିତ ହେଉଛନ୍ତି । ସେମାନେ ଭୂତାଣୁ ମୁକ୍ତ ହେବା ପରେ ସ୍କୁଲକୁ ଯିବେ ବୋଲି ସୂଚନା ଦେଇଛନ୍ତି ଗଜପତି ସିଡିଏମଓ । ସ୍କୁଲ ଖୋଲିବାକୁ ଦୃଷ୍ଟିରେ ରଖି ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଇଥିଲା । ତେବେ କରୋନାର ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବାରୁ ଶିକ୍ଷକମାନଙ୍କର ବିଶେଷ ଲକ୍ଷଣ ପ୍ରକାଶ ପାଉ ନଥିଲା । ସମସ୍ତ ଆକ୍ରାନ୍ତ ସୁସ୍ଥ ଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।