କନକ ବ୍ୟୁରୋ : କନ୍ଧମାଳ ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ମା’ ଭୈରବୀ ଉଚ୍ଚବିଦ୍ୟାଳୟରେ ଥିବା ଅନୁସୁଚିତ ଜାତି ଓ ଜନଜାତୀ ବିଭାଗ ପରିଚାଳିତ ହଷ୍ଟେଲର ୨୬ଜଣ ଛାତ୍ରୀ ଗତକାଲି ହଷ୍ଟେଲ ଛାଡ଼ିଥିଲେ । ଗୋଟିଏ କୁଡ଼ିଆରେ ରାତି କଟାଇଥିଲେ ଛାତ୍ରୀ । ପ୍ରଧାନଶିକ୍ଷୟତ୍ରୀ ଓ ହଷ୍ଟେଲ ୱାର୍ଡ଼େନ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ଆଣି ଏଭଳି ପଦକ୍ଷେପ ନେଇଥିଲେ ଛାତ୍ରୀ । ସ୍ଥାନୀୟ ବିଡ଼ିଓ ବୁଝାସୁଝା ପରେ ଛାତ୍ରୀ ମାନେ ହଷ୍ଟେଲକୁ ଫେରିଛନ୍ତି ।
ଛାତ୍ରୀମାନେ ନିଜ ନିଜର ଜିନିଷପତ୍ର ଧରି ଜଙ୍ଗଲ ରାସ୍ତାରେ ୫କିଲୋମିଟର ଚାଲି ଚାଲି ଆଠବାଡ଼ି ଗାଁରେ ଏକ କୁଡ଼ିଆରେ ରାତି କଟାଇଥିଲେ । ସକାଳ ହେବା ପରେ ସେମାନେ ନିଜ ନିଜ ଗାଁକୁ ଚାଲିଯାଇଥିଲେ । ଘଟଣା ସମ୍ପର୍କରେ ବିଡ଼ିଓ ଜାଣିବା ପରେ ସେମାନଙ୍କ ଘରକୁ ଯାଇ ବୁଝାସୁଝା କରି ଛାତ୍ରୀ ମାନଙ୍କୁ ହଷ୍ଟେଲ ଫେରାଇଆଣିଥିଲେ । ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ମ୍ୟାଟ୍ରନ ଓ ଅନ୍ୟ ଶିକ୍ଷୟତ୍ରୀଙ୍କ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି ।
ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ଅନୁସାରେ ପ୍ରଧାନଶିକ୍ଷୟତ୍ରୀ ଏବଂ ମ୍ୟାଟ୍ରନ ତାଙ୍କୁ ନିର୍ଯାତନା ଦେଉଥିଲେ । ଏପରିକି ସେମାନଙ୍କୁ ଖାଇବାକୁ ଦେଉନଥିଲେ ଏବଂ ଷ୍ଟାଇପେଣ୍ଡ ଅର୍ଥ ଫେରାଉନଥିବା ଅଭିଯୋଗ ଆଣିଥିଲେ । ସେମାନଙ୍କ ଅଭିଯୋଗ ଅନୁସାରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ମତାମତ ସଂଗ୍ରହ କରାଯିବ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ । ଏଥିରେ ଯାହାର ଭୁଲ ଥିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାମଙ୍ଗଳ ଅଧିକାରୀ ।