କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନକୁ ନଜରରେ ରଖି ବିଜେପି ବିରୋଧରେ ଶକ୍ତିଶାଳୀ ହେବାକୁ ଚେଷ୍ଟା କରିଛନ୍ତି ବିରୋଧୀଦଳମାନେ । ଏହି କ୍ରମରେ ପ୍ରଥମ ବୈଠକ ବିହାରର ପାଟନା ଠାରେ ବସିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ୧୭ ଓ ୧୮ ତାରିଖ ଦୁଇଦିନ ଧରି ବେଙ୍ଗାଲୁରୁ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଥମ ବୈଠକରେ ଜେଡିୟୁ ମୁଖ୍ୟ ନୀତିଶ କୁମାର ନେତୃତ୍ୱ ନେଇଥିବା ବେଳେ ଆସନ୍ତା କାଲିଠାରୁ ହେବାକୁ ଥିବା ବୈଠକର କଂଗ୍ରେସ ନେତୃତ୍ୱ ନେବ । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ସର୍ବନିମ୍ନ ୨୬ ଟି ରାଜନୈତିକ ଦଳ ଯୋଗ ଦେବେ ।

Advertisment

ଏହା ପୂର୍ବରୁ ଜୁନ ୨୩ ତାରିଖରେ ନୀତିଶ କୁମାରଙ୍କ ନେତୃତ୍ୱରେ ପାଟନାରେ ହୋଇଥିବା ବୈଠକରେ ୧୫ ଟି ରାଜନୈତିକ ଦଳର ନେତାମାନେ ଯୋଗ ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟ ବୈଠକ ସିମଲା ଠାରେ ହେବ ବୋଲି କୁହାଯାଉଥିବା ବେଳେ ଖରାପ ପାଗ ଯୋଗୁଁ ଏହି ବୈଠକ ବେଙ୍ଗାଲୁରୁରେ କରିବା ପାଇଁ ସ୍ଥିର କରାଯାଇଛି ।

ସୋମବାର ହେବାକୁ ଥିବା ବୈଠକରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଯୋଗ ଦେଇପାରନ୍ତି ବୋଲି ଆକଳନ କରାଯାଉଛି । ଏହି ମେଣ୍ଟ ତାଲିକାରେ ଏବେ ଦୁଇଟି ନୂଆ ଦଳ ଯୋଡି ହୋଇଛନ୍ତି । କୃଷ୍ଣ ପଟେଲଙ୍କ ନେତୃତ୍ୱାଧିନ ଆପନା ଦଳ ଓ ତାମିଲନାଡୁର ଏମଏମକେ ସାମିଲ ହୋଇପାରନ୍ତି । ଯଦି ଆମନ୍ତ୍ରିତ ଦଳଙ୍କ ସଂଖ୍ୟା ଦେଖିବା ତେବେ ୨୬ ଟି ବିଜେପି ବିରୋଧୀ ଦଳଙ୍କୁ ନିମନ୍ତ୍ରଣ ମିଳିଛି ।