ମାଓ ବିରୋଧୀ ଅପରେସନକୁ ବଡ ସଫଳତା । ଜଙ୍ଗଲରେ ରକ୍ତମୁଖା ନକ୍ସଲଙ୍କୁ ନିପାତ କଲେ ଯବାନ ।

144

କନକ ବ୍ୟୁରୋ : ମହାରାଷ୍ଟ୍ରର ଗଡଚିରୋଲିରେ ପୁଲିସର ନକ୍ସଲ ବିରୋଧୀ ଅପରେସନକୁ ବଡ ସଫଳତା ମିଳିଛି । ମହାରାଷ୍ଟର କମାଣ୍ଡୋ-୬୦ଙ୍କ ଗୁଳିରେ ୨୬ ମାଓବାଦୀ ନିପାତ ହୋଇଛନ୍ତି । ସାମ୍ନାକୁ ଆସଛି ମୃତ ମାଓବାଦୀଙ୍କ ଫଟୋ । ଗଡ଼ଚିରୋଲି ଏନକାଉଣ୍ଟର ପରେ ୨୬ ମାଓବାଦୀଙ୍କ ମୃତଦେହ ନେଇ ଫେରିଛନ୍ତି ଯବାନ । ମୃତ ମାଓବାଦୀଙ୍କ ମଧ୍ୟରେ ୬ ଜଣ ମହିଳା ଅଛନ୍ତି । ନକ୍ସଲ ନେତା ମିଲିନ୍ଦ ତେଲତୁମଡେ ନିହତ ହୋଇଛି । ତା ମୁଣ୍ଡ ଉପରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ସେହିପରି ମଙ୍ଗୁ କୋଡିୟମ୍ ଉପରେ ୨୦ ଲକ୍ଷ, କୋରଚି ଦଲମର କମାଣ୍ଡର କିଷନ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଅପରେସନ୍ ବେଳେ ୫ଟି ଏକେ-୪୭, ଗୋଟିଏ ୟୁବିଜିଏଲ୍, ୯ଟି ଏସଏଲଆରଏସ୍, ଗୋଟିଏ ଇନସାସ୍, ତିନିଟି ଥ୍ରୀ ନଟ୍ ଥ୍ରୀ ରାଇଫଲ ସହ ଅନେକ ମାରଣାସ୍ତ୍ର ଜବତ କରାଯାଇଛି । ଅପରେନସରେ ୪ ଜଣ ଜବାନ ବି ଆହତ ହୋଇଛନ୍ତି । ସେମାନଙ୍କୁ ନାଗପୁରର ଏକ ହସ୍ପିଟାଲରେ ଭର୍ତି କରାଯାଇଛି ।

ମହାରାଷ୍ଟ୍ର ପୁଲିସର କମାଣ୍ଡୋ ଟିମକୁ କୌଣସି ସୂତ୍ରରୁ ଖବର ମିଳିଥିଲା ଛତିଶଗଡ ଜଙ୍ଗଲରୁ ମାଓବାଦୀମାନେ ଗଡଚିରୋଲି ଅଭିମୁଖେ ଯାଉଛନ୍ତି । ଏହା ପରେ ବଡ ଅପରେସନ ଆରମ୍ଭ ହୋଇଥିଲା । ବହୁ ସମୟ ଧରି ଉଭୟପକ୍ଷ ମୁହାଁମୁହିଁ ହୋଇଥିଲେ । ଏଥିରେ ମାଓବାଦୀଙ୍କ କିଛି ଶିବିର ବି ଧ୍ୱସ୍ତ ହୋଇଛି । ଗାରପଟି ଜଙ୍ଗଲ ମୁମ୍ବାଇରୁ ପ୍ରାୟ ୯୨୦ କିଲୋମିଟର ଦୂରରେ ରହିଛି । ପ୍ରଥମେ ମାଓବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଆଉ ଜବାବରେ କମାଣ୍ଡୋ ଗୁଳି ଚଳାଇଥିଲା ।