କରଞ୍ଜିଆ ଆବାସିକ ସ୍କୁଲରେ ୨୬ ଛାତ୍ରୀ କରୋନା ପଜିଟିଭ : ସ୍କୁଲ ପରିସରରେ ସଙ୍ଗରୋଧରେ ରହିଲେ ସମସ୍ତ ସଂକ୍ରମିତ

131

କନକ ବ୍ୟୁରୋ : ପୁଣି ଏକ ସ୍କୁଲରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଛାତ୍ରୀ । କରଞ୍ଜିଆ ଠାକୁରମୁଣ୍ଡା ବ୍ଲକ ଚମକପୁର ଆଦିବାସୀ ଆବାସିକ ବିଦ୍ୟାଳୟର ୨୬ ଜଣ ଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ସ୍କୁଲ ପରିସରରେ ସଂଗରୋଧରେ ରଖାଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବାର ଖବର ମିଳିଛି । ଶନିବାର ଉକ୍ତ ବିଦ୍ୟାଳୟକୁ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ କରଞ୍ଜିଆ ଉପଜିଲ୍ଲାପାଳ ଡ.ରଜନୀକାନ୍ତ ବିଶ୍ୱାଳଙ୍କ ସମେତ ସ୍ଥାନୀୟ ବିଡିଓ, ତହସିଲଦାର, ଡ଼ାକ୍ତରୀ ଟିମ ବିଦ୍ୟାଳୟରେ ପହଞ୍ଚିବେ । ସେଠାରେ ଜଣେ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆକ୍ରାନ୍ତ ଛାତ୍ରୀମାନଙ୍କର ଚିକିତ୍ସା କରାଯିବା ସହ ସେଠାରେ ଏକ ଆମ୍ବୁଲାନ୍ସ ରହିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ଆବାସିକ ବିଦ୍ୟାଳୟରେ ମୋଟ ୨୫୯ ଜଣ ଛାତ୍ରୀ ରହି ପାଠ ପଢ଼ୁଥିବା ବେଳେ ୨୦ ଜଣ କର୍ମଚାରୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ କିଛିଦିନ ପୂର୍ବରୁ କେତେକ ଛାତ୍ରୀ ଅସୁସ୍ଥ ରହିବାରୁ ଗତ ଗୁରବାର ଦିନ ସେମାନଙ୍କ କରୋନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୨ ଜଣ କରୋନା ପଜିଟିଭ ଥିବାର ଜଣା ଯାଇଥିଲା । ଶୁକ୍ରବାର ମଧ୍ୟ ୪ ଜଣ ଛାତ୍ରୀ କରୋନାରେ ଆକ୍ରାନ୍ତ ଥିବା ପରୀକ୍ଷାରୁ ଜଣାପଡ଼ିବା ପରେ ଶୁକ୍ରବାର ସୁଦ୍ଧା ମୋଟ ୨୬ ଜଣ ଛାତ୍ରୀ ଆକ୍ରାନ୍ତ ଥିବାର ଜଣାପଡ଼ିଛି । ୧୫ ଜଣଙ୍କ ସ୍ଵାବ ଟେଷ୍ଟ ପାଇଁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି। ସମସ୍ତ ଚିହ୍ନଟ ଆକ୍ରାନ୍ତମାନଙ୍କୁ ବିଦ୍ୟାଳୟ ପରିସରରେ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି । କରୋନା ପଜିଟିଭ ବାହାରିବା ପରେ ଅନ୍ୟ ଛାତ୍ରୀ ଓ ଅଭିଭାବକମାନେ ଆଶଙ୍କା ମଧ୍ୟରେ ରହିଛନ୍ତି ।