୨୬/୧୧ ମୁମ୍ବାଇ ଆକ୍ରମଣର ଲୋମଟାଙ୍କୁରା କାହାଣୀ । ସେଦିନ ଆତଙ୍କୀଙ୍କ ଗୁଳିମାଡରେ ଦିବ୍ୟାଙ୍ଗ ପାଲଟିଯାଇଛନ୍ତି ବାଲେଶ୍ୱରର ସତ୍ୟାନନ୍ଦ ।

283

କନକ ବ୍ୟୁରୋ: ମୁମ୍ବାଇ ଆକ୍ରମଣକୁ ପୂରିଛି ୧୩ ବର୍ଷ । ଆଜି ବି ସେ ଆତଙ୍କୀ ଆକ୍ରମଣ କଥା ଛାତି ଥରେ ଉଠେ । ମନରେ କୋକୁଆ ଭୟ ଖେଳି ଯାଏ । ସେଇ ୨୬-୧୧ ଆକ୍ରମଣକୁ ୧୩ ବର୍ଷ ପୁରିଥିବା ବେଳେ ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି ସେଦିନ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିବା ଓଡ଼ିଆ ଯୁବକ ସତ୍ୟାନନ୍ଦ ।

୨୬-୧୧-୨୦୦୮.. ରାତି ପ୍ରାୟ ୮ଟା ୪୫.. ଶତ୍ରୁ ଦେଶରୁ ଆସିଥିଲେ ସୈତାନ.. ଗର୍ଜନ କରିଥିଲା ଅତଙ୍କବଦୀଙ୍କ ବନ୍ଧୁକ.. ଥରି ଉଠିଥିଲା ମାୟାନଗରୀ ମୁମ୍ବାଇ.. ନିରବୀ ଯାଇଥିଲା ୧୬୬ ଜୀବନ… ଆତଙ୍କୀଙ୍କ ଗୁଳିରେ ଆହତ ହୋଇଥିଲେ ୩୦୦ । ଆହତଙ୍କ ଭିତରେ ରହିଛନ୍ତି ବାଲେଶ୍ୱର ସୋରର ସତ୍ୟାନନ୍ଦ ବେହେରା । ଗୋଡରେ ଗୁଳି ବାଜିବା ପରେ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି ସତ୍ୟାନନ୍ଦ ।

ସତ୍ୟାନନ୍ଦ, ମୁମ୍ବାଇର ଗେଷ୍ଟ ହାଉସରେ କେୟାର ଟେକର ଭାବେ କାମ କରୁଥିଲେ । ସେଦିନ ଘରକୁ ଆସିବା ପାଇଁ ଛତ୍ରପତି ଶିବାଜୀ ଟର୍ମିନାଲରେ ଟ୍ରେନକୁ ଅପେକ୍ଷା କରିଥିଲେ । ଠିକ ସେତିକି ବେଳେ ଆତଙ୍କବାଦୀଙ୍କ ଗୁଳି ତାଙ୍କ ଗୋଡ଼ରେ ବାଜିଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ମୁମ୍ବାଇ ଜେଜେ ହସ୍ପିଟାଲରେ ଭର୍ତି କରାଯାଇଥିଲା । ପ୍ରାୟ ୩ ମାସର ଚିକିତ୍ସା ପରେ ଘରକୁ ଫେରିଥିଲେ । ତା’ପରଠୁ ସତ୍ୟାନନ୍ଦଙ୍କ ଜୀବନ ସଂଘର୍ଷମୟ ହୋଇଯାଇଛି । ଆଜି ବି ଗୁଳି ଖାଇଥିବା ସେ ଗୋଡ ତାଙ୍କୁ ଯନ୍ତ୍ରଣା ଦେଉଛି । ଏବେ ପୁଣି ଚିକିତ୍ସା ପାଇଁ ମୁମ୍ବାଇର ସେଇ ଜେକେ ହସ୍ପିଟାଲକୁ ଯାଇଛନ୍ତି ସତ୍ୟାନନ୍ଦ ।

ଘରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତିରେ ଆତଙ୍କୀଙ୍କ ଗୁଳିରେ ଦିବ୍ୟାଙ୍ଗ ପାଲଟିଯିବା ପରେ ପିଲାଛୁଆଙ୍କ ମୁହଁରେ ଦାନା ଦେବା କଷ୍ଟକର ହୋଇପଡିଛି । ତେଣୁ ସରକାର, ସତ୍ୟାନନ୍ଦଙ୍କ ଅବସ୍ଥାକୁ ଅନୁଭବ କରି ରୋଜଗାରର ବିକଳ୍ପ ବ୍ୟବସ୍ଥା କରିବାକୁ ସ୍ତ୍ରୀ ଅନୁରୋଧ କରିଛନ୍ତି ।