ପୃଥିବୀର ପୁଣି ଘଟିଲା ଏକ ଆଶ୍ଚର୍ଯ୍ୟ ଘଟଣା । ଗୋଟିଏ ଥରରେ ୯ ପିଲାଙ୍କୁ ଜନ୍ମଦେଲେ ୨୫ ବର୍ଷିୟ ମହିଳା । ମା ଓ ଶିଶୁ ସୁସ୍ଥ ଥିବା ସୂଚନା ଦେଲେ ଡାକ୍ତର

3,391

କନକ ବ୍ୟୁରୋ : ପଶ୍ଚିମ ଆଫ୍ରିକୀୟ ଦେଶ ମାଲୀ ସରକାର ଦାବି କରିଛନ୍ତି କି ତାଙ୍କ ଦେଶର ଜଣେ ୨୫ ବର୍ଷିୟ ମହିଳା ଏକାଥରକେ ୯ ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ମହିଳା ଓ ଶିଶୁମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସେମାନଙ୍କୁ ମୋରୋକ୍କୋ ନିଆଯାଇଛି । ହେଲେ ମୋରୋକ୍କୋର ଅଧିକାରୀଙ୍କ ତରଫରୁ ଏନେଇ କିଛି ସ୍ପଷ୍ଟ କରାଯାଇ ନାହିଁ । ଗୋଟିଏ ଥରରେ ୯ ଟି ଶିଶୁଙ୍କୁ ଜନ୍ମ ଦେବା ଏକ ଦୁର୍ଲ୍ଲଭ ଘଟଣା । ହେଲେ ଏବେ ମା’ ଓ ଶିଶୁମାନେ ସୁସ୍ଥ ଥିବା କଥା କୁହାଯାଇଛି ।

ମାଲୀ ସରକାର ୨୫ ବର୍ଷିୟ ହଲିମା ସିର୍ସେଙ୍କୁ ଉତ୍ତମ ଚିକିତ୍ସା ପାଇଁ ମାର୍ଚ୍ଚ ୩୦ ତାରିଖରେ ମୋରୋକ୍କୋ ନେଇ ଆସିଥିଲେ । ପ୍ରାଥମିକ ପରୀକ୍ଷା ପରେ କୁହାଯାଇଥିଲା କି ମହିଳାଙ୍କ ପେଟରେ ୭ ଟି ଶିଶୁ ଅଛନ୍ତି । ହେଲେ ଏକାସାଙ୍ଗରେ ୭ ଟି ଶିଶୁ ଜନ୍ମଦେବା ବି ଏକ ବିରଳ କଥା ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରବକ୍ତା ରାସିତ୍ କୌଧାରୀ କହିଛନ୍ତି କି ଦେଶରେ କୌଣସି ହସ୍ପିଟାଲରେ ଏଭଳି ଘଟଣା ଘଟିଥିବାର ଖବର ତାଙ୍କ ପାଖରେ ନାହିଁ । ଅନ୍ୟପଟେ ମାଲୀ ସରକାରଙ୍କ ତରଫରୁ ଜାରି କରାଯାଇଥିବା ବୟାନ ମୁତାବକ ସିର୍ସେ ସର୍ଜରିଆନ୍ ମାଧ୍ୟମରେ ଏକା ସାଙ୍ଗରେ ୫ ଟି କନ୍ୟା ଓ ୪ ଟି ଶିଶୁପୁତ୍ର ଜନ୍ମ ଦେଇଛନ୍ତି । ଏହାସହ ମାଲୀର ସ୍ୱାସ୍ଥ୍ୟମନ୍ତ୍ରୀ ଫେଣ୍ଟା ସିବି କହିଛନ୍ତି କି ମା ଓ ଶିଶୁମାନେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସିବି କହିଛନ୍ତି କି ମା ଓ ଶିଶୁ କିଛି ସପ୍ତାହ ମଧ୍ୟରେ ଘରକୁ ଫେରିଆସିବେ । ସ୍ଥାନୀୟ ଗଣମାଧ୍ୟମର ସୂଚନା ମୁତାବକ ଏବେ ମା ଓ ଶିଶୁ ମାନଙ୍କ ଜୀବନକୁ ନେଇ ଡାକ୍ତର ବଡ ଚିନ୍ତାରେ ଅଛନ୍ତି ।