ବନ୍ଧୁ ହେଲା ହତ୍ୟାକାରୀ । ଜନ୍ମଦିନ ପାର୍ଟିରେ ବଚସା ହେବାରୁ ସାଙ୍ଗକୁ ଛୁରୀ ମାରି ହତ୍ୟା କଲା ସାଙ୍ଗ ।

768

କନକ ବ୍ୟୁରୋ : ବନ୍ଧୁ ହେଲା ହତ୍ୟାକାରୀ । ଜନ୍ମଦିନ ପାର୍ଟିରେ ବଚସା ହେବାରୁ ସାଙ୍ଗକୁ ଛୁରୀ ମାରି ହତ୍ୟା କଲା ସାଙ୍ଗ । ଏଭଳି ଦୁଃଖଦ ଘଟଣା ଘଟିଛି ଦେଶର ରାଜଧାନୀ ଦିଲ୍ଲୀରେ । ଏହି ଘଟଣା ପରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ଫେବୃଆରୀ ୧୦ ତାରିଖର ଘଟଣା । ଦିଲ୍ଲୀର ମଙ୍ଗୋଲୀପୁର ଅଞ୍ଚଳରେ କିଛି ସାଙ୍ଗ ମିଶି ଜନ୍ମଦିନ ପାର୍ଟି କରୁଥାନ୍ତି । ସବୁ କିଛି ଠିକଠାକ ଚାଲିଥିଲା । ଖୁସିର ମାହୋଲ ଥିଲା । ନାଚ ଗୀତ ବି ହେଉଥିଲା । ସେହି ସମୟରେ ରିଙ୍କୁ ଶର୍ମାଙ୍କ ସହ ଦନିଶ ଓ ଇସଲାମଙ୍କ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ହେଲେ ସେହି ସମୟରେ କିଛି ସାଙ୍ଗ ସମସ୍ତଙ୍କୁ ବୁଝାବୁଝି କରି ଶାନ୍ତ କରାଇଥିଲେ । ହେଲେ ଏହି ଘଟଣା ପରେ ଏକ ଭୟାନକ ରୂପ ନେଇଥିଲା ।

ପାର୍ଟି ସରିବା ପରେ ରିଙ୍କୁ ଶର୍ମା ରାତି ଶାଢେ ଦଶଟାରେ ଘରକୁ ଫେରୁଥିଲେ । ହେଲେ ଦନିଶ ଓ ଇସଲାମଙ୍କ ସହ କିଛି ଯୁବକ ରିଙ୍କୁ ଶର୍ମାଙ୍କୁ ବାଟରେ ଅଟକାଇଥିଲେ ଓ ମାରପିଟ କରିଥିଲେ । ଶେଷରେ ଭୟଭୀତ ହୋଇ ରିଙ୍କୁ ସେଠାରୁ ଦୌଡି ଘରକୁ ପଳାଇଥିଲେ । ହେଲେ ସୈତାନମାନଙ୍କ ରାଗ ସେତିକିରେ କମି ନଥିଲା ରଙ୍କୁଙ୍କୁ ଘର ଯାଏଁ ପିଛା କରି ଯାଇ ଛୁରି ମାଡ କରିଥିଲେ । ସେହି ଠାରେ ହି ରିଙ୍କୁ ରକ୍ତାକ୍ତ ହୋଇ ପଡିଯାଇଥିଲା । ଶେଷରେ ରିଙ୍କୁ ଶର୍ମାଙ୍କ ମୃତ୍ୟୁ ହୋଇଥିଲା ।

ଏହି ଘଟଣା ପରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ବୋଲି ସୂଚନା ମିଳିଛି । ତେବେ ଏହି ଘଟଣାର ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।