ଘରୋଇ ସ୍କୁଲରେ ଗରିବ ପିଲାଙ୍କ ୨୫% ସ୍ଥାନ ସଂରକ୍ଷଣକୁ ବାଧ୍ୟତାମୂଳକ କଲେ ସରକାର । ଗଣଶିକ୍ଷା ବିଭାଗର ପୋର୍ଟାଲରେ ନାମ ପଂଜିକରଣ କରିବେ ଛାତ୍ରଛାତ୍ରୀ 

394
କନକ ବ୍ୟୁରୋ: ଘରୋଇ ସ୍କୁଲରେ ଲାଗୁ ହେବ ସଂରକ୍ଷଣ ବ୍ୟବସ୍ଥା । ରାଜ୍ୟର ଘରୋଇ ସ୍କୁଲରେ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ରହିବ । ଏବଂ ଇଡବ୍ଲୁଏସ କୋଟାରେ ସେମାନେ ଅନଲାଇନରେ ନାମ ଲେଖାଇପାରିବେ । ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଅନଲାଇନରେ ନାମ ଲେଖାଇବା ସୁବିଧା କରାଗଲେ ସଂରକ୍ଷଣ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିବ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପିତ କରିବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସେହିଭଳି ଆସନ୍ତା ଶିକ୍ଷାବର୍ଷରୁ ଓଡିଶାର ସବୁ ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ଷ୍ଟ୍ରିମ ଖୋଲିବ । ଏଣିକି ରାଜ୍ୟ ସରକାରଙ୍କ ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ପାଠ ପଢିବେ ଛାତ୍ରଛାତ୍ରୀ । ତେବେ ସରକାରୀ ଆଦର୍ଶ ବିଦ୍ୟାଳୟର ସଫଳତା ପରେ ଏହି ନିଷ୍ପତି ହୋଇଥିବା ମନ୍ତ୍ରୀ ସମୀର ଦାସ କହିଛନ୍ତି ।
ଆର୍ଥିକ ଅନଗ୍ରସର ପିଲାଙ୍କ ପାଠପଢା ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ରଖିବାକୁ ବାଧ୍ୟ ହେବେ ଘରୋଇ ସ୍କୁଲ । ପୂର୍ବରୁ ଏହି ସଂରକ୍ଷଣ ବ୍ୟବସ୍ଥା ଥିଲେ ବି କିଛି ଘରୋଇ ସ୍କୁଲ ବିଭିନ୍ନ ଆଳ ଦେଖାଇ ଏହାକୁ ମାନୁନଥିଲେ । ଏନେଇ ଅଭିଯୋଗ ଆସିବା ପରେ ବଡ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ପୋର୍ଟାଲ ପ୍ରସ୍ତୁତ କରାଯିବ । ପୋର୍ଟଲ ଜରିଆରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇବା ପାଇଁ ନାମ ପଞ୍ଜିକରଣ କରିପାରିବେ ଛାତ୍ରଛାତ୍ରୀ । ବିଦ୍ୟାଳୟ ଠାରୁ ୧ କିଲୋମିଟର ଦୂରରେ ଥିବା ଯୋଗ୍ୟ ଛାତ୍ରଛାତ୍ରୀ ଅନଲାଇନ ନାମ ଲେଖାଇ ପାରିବେ । ସେହିପରି ୩ କିଲୋମିଟରରୁ ୧୦ କିଲୋମିଟର ଭିତରେ ଥିବା ପିଲାଙ୍କ ପାଇଁ ଲଟେରୀ ବ୍ୟବସ୍ଥା କରାଯିବ । ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀ ଏହି ପୋର୍ଟାଲର ଲୋକାର୍ପଣ କରିବେ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ଶିକ୍ଷା ଅଧିକାର ଆଇନ୍ ୨୦୦୯ ଅନୁଯାୟୀ ୬ରୁ ୧୪ ବର୍ଷ ବୟସର ପିଲାଙ୍କ ବାଧ୍ୟତାମୂଳକ ଶିକ୍ଷାଦାନକୁ ଆହୁରି ମଜଭୁଦ୍ କରିବା ପାଇଁ ପଦକ୍ଷେପ ନେଇଛନ୍ତି ସରକାର । ସଂରକ୍ଷଣ ବ୍ୟବସ୍ଥା ଭଳି ଶିକ୍ଷାକ୍ଷେତ୍ରରେ ଆଉ ଏକ ପଦକ୍ଷେପ ନିଆଯାଇଛି । ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସବୁ ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ପାଠ୍ୟକ୍ରମ ଆରମ୍ଭ ହେବ । ଆଦର୍ଶ ବିଦ୍ୟାଳୟର ସଫଳତା ପରେ ଏଭଳି ନିଷ୍ପତି ନିଆଯାଇଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
ତେବେ ବେସରକାରୀ ସ୍କୁଲରେ ୨୫% ସଂରକ୍ଷଣ ମଧ୍ୟରୁ ଏସସି, ଏସଟି ଓ ଏସଇବିସି ପିଲାଙ୍କ ପାଇଁ ରହିବ ୧୦ ପ୍ରତିଶତ । ବାସହୀନ ଓ ଶିଶୁ ଶ୍ରମିକଙ୍କ ପାଇଁ ୫ ପ୍ରତିଶତ । ବାକି ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ ବିପିଏଲ କାର୍ଡଧାରୀ ପରିବାର ପିଲାଙ୍କ ପାଇଁ ।