ଭାରତରେ ବଢୁଛି କରୋନା ଭୟ, ଚିହ୍ନଟ ହେଲେଣି ୨୫ ଆକ୍ରାନ୍ତ । ସ୍ୱାସ୍ଥ୍ୟସଚିବ କହିଲେ, କରନ୍ତୁ ନାହିଁ କରମର୍ଦ୍ଦନ କି ଆଲିଙ୍ଗନ

2,047

କନକ ବ୍ୟୁରୋ : କରୋନା ଭାଇରସରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୩ରୁ ୨୮କୁ ଡେଇଁବା ପରେ ପ୍ରଥମ ଥର ପାଇଁ ଆମ ଦେଶରେ କରୋନାକୁ ନେଇ ଭୟ ବଢି ଯାଇଛି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ସେଥିରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଏବେ ୨୫ ଜଣଙ୍କୁ ଏହି ମାରାତ୍ମକ ଭୂତାଣୁ ଆକ୍ରାନ୍ତ କରିଛି । ଆଜି କେନ୍ଦୁଝର ଓ ସମ୍ବଲପୁରରେ ଜଣେ ଲେଖାଏଁ ସନ୍ଦିଗ୍ଧ ରୋଗୀଙ୍କୁ ସ୍ୱତନ୍ତ୍ର ଅର୍ଥାତ୍ ଆଇସୋଲେସନ୍ ୱାର୍ଡରେ ଭର୍ତି କରାଯାଇଛି । ସେପଟେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ହାତ ମିଳାଇବା ଓ ଆଲିଙ୍ଗନ କରିବା ବର୍ତମାନ ପରିସ୍ଥିତିରେ ଠିକ୍ ନୁହେଁ ।

ଦିଲ୍ଲୀ ଏମ୍ସରୁ କଟକ ମେଡିକାଲ, କରୋନାର କୋକୁଆ ଭୟ ସବୁଠି ଏକ ବଡ଼ଧରଣର ତତ୍ପରତା ତିଆରି କରିଛି । ଆମ୍ବୁଲାନ୍ସରେ ରୋଗୀ ଆସୁଛନ୍ତି, ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସା ଚାଲିଛି । ଆଉ ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଦେଇଥିବା କରୋନା ରୋଗୀଙ୍କ ପରିସଂଖ୍ୟାନ ସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଛି । ବର୍ତମାନ ଭାରତରେ ୨୫ ଜଣ କରୋନା ସଂକ୍ରମିତ ଚିକିତ୍ସିତ ହେଉଥିବା ବେଳେ ଏଥିରେ ଅଛନ୍ତି ୧୨ ଜଣ ଇଟାଲି ନାଗରିକ । ଆଉ ଏହାରି ଭିତରେ କେରଳରେ ସଂକ୍ରମିତ ହୋଇଥିବା ୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଛନ୍ତି ।

ଏପଟେ କଟକ ବଡ଼ ମେଡ଼ିକାଲରେ ସିଙ୍ଗାପୁରର ଦମ୍ପତିଙ୍କ ଚିକିତ୍ସା ଚାଲିଥିବା ବେଳେ କରୋନା ସଚେତନତା ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ଯେଉଁଥିରେ କୁହାଯାଇଛି-
– କାର୍ଯ୍ୟାଳୟ ଓ ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ ରଖନ୍ତୁ
-ଚଟାଣ, ଟେବୁଲ, ଡେସ୍କ. ଟେଲିଫୋନ, କିବୋର୍ଡକୁ ପରିଷ୍କାର ରଖନ୍ତୁ
-ବିଶୋଧନ ପାଇଁ ୭୦% ଆଲକହଲ ଯୁକ୍ତ ବିଶୋଧକ ବ୍ୟବହାର କରନ୍ତୁ
– ଥଣ୍ଡାରେ ସଂକ୍ରମିତ ବ୍ୟକ୍ତିଙ୍କ ଅତି ନିକଟକୁ ଯିବାକୁ ବାରଣ କରାଯାଇଛି
– ପରସ୍ପର ସହିତ ହାତ ମିଳାଇବା କିମ୍ବା ଆଲିଙ୍ଗନ କରିବାକୁ ମନା କରାଯାଇଛି
– ଥଣ୍ଡାରେ ଆକ୍ରାନ୍ତ ହେଲେ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି
– ଅତି ଆବଶ୍ୟକ ନହେଲେ କରୋନା ପ୍ରଭାବିତ ଦେଶଗୁଡିକୁ ଯିବାକୁ ବାରଣ କରାଯାଇଛି

ସେପଟେ କରୋନା ସଂକ୍ରମଣ ସନ୍ଦେହରେ ବୁର୍ଲା ଭିମସାରରେ ଜଣେ ଯୁବକଙ୍କୁ ଭର୍ତି କରାଯାଇଛି । ସୋନପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ଯୁବକଙ୍କୁ ଭିମସାରଙ୍କୁ ସ୍ଥାନାନ୍ତର କରାଯାଇଛି । କେନ୍ଦୁଝରରେ ମଧ୍ୟ ଜଣେ ଯୁବକ ମେଡିକାଲରେ ଭର୍ତି ହୋଇଛନ୍ତି । କିଛି ଦିନ ତଳେ ଏହି ଯୁବକ ଆଣ୍ଡାମାନରୁ ଫେରିିବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ଏହାରି ଭିତରେ ଦିଲ୍ଲୀରେ କରୋନା ଭାଇରସର ଭୟ ବଢ଼ିବାରେ ଲାଗିଛି । ଦିଲ୍ଲୀ ଏନ୍ସିଆରରେ ୫ଟି ସ୍କୁଲକୁ ବନ୍ଦ ରଖାଯାଇଛି । ସେହିପରି ବନ୍ଦ ଥିବା ନୋଏଡା ସ୍କୁଲକୁ ପହଂଚି ଯାଂଚ କରିଛି ଏକ ମେଡ଼ିକାଲ ଟିମ୍ ।