ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣା । ଘଟଣାରେ ୨୫ରୁ ଅଧିକ ଲୋକଙ୍କୁ ଗିରଫ କଲା ପାକିସ୍ତାନ ପୋଲିସ ।

130

କନକ ବ୍ୟୁରୋ : ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣା ଥମିବାର ନାଁ ନେଉନାହିଁ । ଖୈବର ପଙ୍ଖତୁନଖ୍ୱା ପ୍ରାନ୍ତର କରକ ଜିଲ୍ଲାରେ ବୁଧବାର ଦିନ ମୌଲବୀଙ୍କ ନେତୃତ୍ୱରେ ଉତେଜିତ ଲୋକେ ଏକ ବହୁପରାତନ ମନ୍ଦିରକୁ ଭାଙ୍ଗି ଦେଇଛନ୍ତି । ଶତାଧିକ ଲୋକେ ଏକତ୍ରିତ ହୋଇ ଏହି କାଣ୍ଡ ଭିଆଇଛନ୍ତି । କେବଳ ଏତିକି ନୁହେଁ ମନ୍ଦିରରେ ନିଆଁ ଲଗାଇଦେଇଛନ୍ତି ।

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଏହା ପୂର୍ବରୁ ମଧ୍ୟ ପାକିସ୍ତାନରେ ହିନ୍ଦୁ ମନ୍ଦିରରେ ଆକ୍ରମଣ ହୋଇଛି । ଧର୍ମଗୁରୁ ପରିଷଦର ସୁପାରିଶ କ୍ରମେ ଇସଲାମାବାଦରେ ଏକ ନୂତନ ମନ୍ଦିର ନିର୍ମାଣ କରିବାକୁ ସରକାର ହିନ୍ଦୁ ବାସିନ୍ଦାଙ୍କୁ ଅନୁମତି ଦେବାର ଏକ ସପ୍ତାହ ପରେ ଏହି ଘଟଣା ଘଟିଛି ।

ପାକିସ୍ତାନରେ ହିନ୍ଦୁ ମନ୍ଦିରରେ ଆକ୍ରମଣ ଘଟଣାର ଭିଜୁଆଲ ‘ଭଏସ ଅଫ ପାକିସ୍ତାନ ମାଇନୋରିଟି’ ନାମକ ଏକ ଟ୍ୱିଟର ଆକାଉଂଟରୁ ସେୟାର କରାଯାଇଛି । ସାରା ବିଶ୍ୱର ସାମାଜିକ ଅଧିକାର କର୍ମୀ ଓ ସାମ୍ବାଦିକଙ୍କ ଦ୍ୱାରା ଏହି ଟ୍ୱିଟକୁ ସେୟାର କରାଯିବା ସହ ଘଟଣାର ସାମଲୋଚନା କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଏହି ଐତିହାସିକ ମନ୍ଦିରର ପୁନରୁଦ୍ଧାର କରିବା ପାଇଁ ପ୍ରଶାସନ ଠାରୁ ଅନୁମତି ମାଗିଥିଲେ ସେଠାରେ ରହୁଥିବା ହିନ୍ଦୁ । ତେବେ ଏଥିପାଇଁ ପ୍ରଶାସନ ଅନୁମତି ମଧ୍ୟ ଦେଇଥିଲା । ଠିକ୍ ଏହା ପରେ ପରେ ମୌଲବୀଙ୍କ ନେତୃତ୍ୱରେ ଉତେଜିତ ଲୋକେ ଏହି ମନ୍ଦିରକୁ ଆକ୍ରମଣ କରିଥିବା ଭିଡିଓ ସାମ୍ନାକୁ ଆସିଛି ।

ଖୈବର ପଙ୍ଖତୁନଖ୍ୱା ପ୍ରାନ୍ତରେ ହିନ୍ଦୁ ମନ୍ଦିରରେ ଆକ୍ରମଣ ଘଟଣାରେ ପାକିସ୍ତାନ ପୋଲିସ ୧୪ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହାସହ ଘଟଣାର ତଦନ୍ତ କରାଯାଉଛି ଏବଂ ଯେଉଁମାନେ ଲୋକଙ୍କୁ ଉସୁକାଇଥିଲେ ସେମାନଙ୍କୁ ଗିରଫ କରିବା ପାଇଁ ପ୍ରକ୍ରିୟା ଚାଲିଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି । ସେପଟେ ପାକିସ୍ତାନର ଧର୍ମୀୟ ବ୍ୟପାର ମନ୍ତ୍ରୀ ନୋରୁଲ ହକ କାଦରୀ ଟ୍ୱିଟ କରି ଲେଖିଛନ୍ତି ଯେ ଦେଶରେ ସମ୍ପ୍ୟଦାୟିକ ସମନ୍ୱୟକୁ ବିଗାଡିବାକୁ ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି ।