ଶ୍ରମିକ ଫେରୁଛି, ଶବ ପାଲଟୁଛି… ଘରକୁ ଫେରିବା ବାଟରେ ଯମ ଜୀବନ ନେଉଛି । ବାଟ ମଝିରୁ ଶ୍ରମିକର ଆତ୍ମା ପଚାରୁଛି, ସରକାର ! ଆମେ ଦେଖି ପାରିବୁନି କି ଆପଣାର ମୁହଁ…?

287

କନକ ବ୍ୟୁରୋ: ଆଶଙ୍କା ଭିତରେ ଆଗକୁ ବଢୁଥିଲା ଆଶା । କରୋନାର କୋକୁଆ ଭୟ ଭିତରେ ରାତିର କିଟିମିଟ ଅନ୍ଧାର ଚିରି ଆଗେଇ ଚାଲିଥିଲା ସମ୍ଭାବନାର ଗାଡି । ରାତି ପାହିବ, ସକାଳ ହେବ । ଆଉ ଆଖି ଖୋଲିଲା ପରେ ଅବଶ ଆଖି ଆତ୍ମୀୟଙ୍କୁ ଦେଖିବ । କିଏ ନିଜ ମାଆର ପଣତରେ ମୁହଁ ପୋଛିବ ତ କିଏ ରୋଗୀଣା ବାପା ପାଇଁ ଔଷଧ ଆଣିଦେବ, ତ ପୁଣି କିଏ ନିଜ ସ୍ତ୍ରୀର ଅଭିମାନ ଭାଙ୍ଗି, ପିଲାଙ୍କୁ ଆଲିଙ୍ଗନ କରି ଅସହାୟତାର ଅଶ୍ରୁ ନିଗାଡିବ । ପେଟରେ ପେଟେ ଭୋକ ଧରି ଟ୍ରକକୁ ପିଠି କରି ଆକାଶ ମୁହାଁ ଶ୍ରମିକ ଏମିତି କିଛି ଭାବୁ ଭାବୁ ନିଘୋଡ ନିଦରେ ଶୋଇଯାଇଛି…

ହେଲେ ହଠାତ ମଝି ରାସ୍ତାର ମୃତ୍ୟୁ ଗାତରେ ଓଲଟି ପଡିଛି ଜୀବନର ଗାଡି । ସତ ହେବା ଆଗରୁ ଭାଙ୍ଗି ଯାଇଛି ଶ୍ରମିକର ସ୍ୱପ୍ନ । ଆଉ ଉଦୟ ହେବା ଆଗରୁ ସବୁଦିନ ପାଇଁ ଅସ୍ତ ହୋଇଯାଇଛି ୨୪ଟି ଜୀବନ । ଆଉ ଇଏ ହେଉଛି ରକ୍ତାକ୍ତ ରାତି ପାହିବା ପରର ଚିତ୍ର । ସୁରୁଜ ଉଇଁବା ପରେ ଫର୍ଚ୍ଚା ଫର୍ଚ୍ଚା ଦିଶୁଛି ମୃତ୍ୟୁର ମୁକସାକ୍ଷୀ । କେଉଁଠି ଛିଟକି ପଡିଛି ଚିଡା ଚପଲ ତ ପୁଣି କେଉଁଠି ମୁହଁମାଡି ପଡିଛି ପୋଡା ରୁଟି । ପେଟ ପାଇଁ ଦାନରେ ମିଳିଥିବା ମୁଠେ ଖାଦ୍ୟ ରାସ୍ତା ସାରା ଖେଳେଇ ହୋଇ ପଡିଛି । ଯାହା ବୟାନ କରୁଛି କେତେ ଭୟଙ୍କର ହୋଇଥିବ ମୃତ୍ୟୁର ମହାତାଣ୍ଡବ ।

ପ୍ରବାସୀ ଶ୍ରମିକଙ୍କୁ ନେଇ ରାଜସ୍ଥାନରୁ ଝାଡଖଣ୍ଡ,ପଶ୍ଚିମବଙ୍ଗ ଓ ବିହାର ଯାଉଥିବା ଗାଡିକୁ ଶନିବାର ଭୋରୁ ଧକ୍କା ଦେଇଥିଲା ଏକ ଚୁନ ଭର୍ତ୍ତି ଟ୍ରକ । ମଝିରେ ରାସ୍ତାରେ ମୁହାଁମୁହିଁ ଧକ୍କା ପରେ ଜୀବନ ଉପରେ ଢାଳି ଯାଇଥିଲା ମୃତ୍ୟୁର ଚୂନ । ତେବେ ଘଟଣାସ୍ଥଳରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଆଖି ଖୋଲିବା ଆଗରୁ ସବୁଦିନ ପାଇଁ ଶେଷ ନିଦ୍ରାରେ ସିନା ଶୋଇଯାଇଥିଲେ ଶ୍ରମିକ । ହେଲେ ଯେଉଁମାନେ ବର୍ତ୍ତି ଯାଇଥିଲେ । ସେମାନେ ବଖାଣିଥିଲେ ଆଖି ସାମ୍ନାରେ ଦେଖିଥିବା ମୃତ୍ୟୁର ସେ ଲୋମ ଟାଙ୍କୁରା ମହାରୂପକୁ ।

ତାଲାବନ୍ଦ ବେଳେ ଚାଲି ଚାଲି ଘରକୁ ଫେରିବା ବାଟରେ କେତେବେଳେ ଶ୍ରମିକର ଜୀବନ ଯାଉଛି ତ ପୁଣି କେଉଁଠି ଟ୍ରାକରେ ଶୋଇଥିବା ସମୟରେ ଆଖିବୁଜୁଛି ଶ୍ରମିକଟିଏ । ଆଉ ଏହାରି ଭିତରେ ଉତରପ୍ରଦେଶ ଶ୍ରମିକଙ୍କ ମୃତ୍ୟୁ ଘଟଣା ମନକୁ ପୁଣି ଆନ୍ଦୋଳିତ କରିଛି । ଆଉ ଘନ ଘନ ପ୍ରେସମିଟ କରି ଶ୍ରମିକଙ୍କ ପାଇଁ ସବୁ ସୁବିଧା କହୁଥିବା ସରକାରଙ୍କ ପାଟିକୁ ସଟଡାଉନ କରିଛି ।