କନକ ବ୍ୟୁରୋ: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ଗତିରେ ସଂକ୍ରମଣ ବଢାଉଛି । ଏପରି ସମୟରେ ଅମ୍ଲଜାନ ପାଇଁ ସବୁଆଡେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦିଲ୍ଲୀରେ ସ୍ଥିତି ସଙ୍ଗୀନ ରହିଛି । ଅକ୍ସିଜେନ୍ ଅଭାବରୁ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ୨୪ ଘଂଟାରେ ୨୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା ।
ଏବେ ପୁଣି ଦିଲ୍ଲୀ ସ୍ଥିତ ଜୟପୁର ଗୋଲ୍ଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବ ଯୋଗୁଁ ୨୫ଆକ୍ରାନ୍ତଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ହସ୍ପିଟାଲରେ ଅମ୍ଳଜାନ ଶେଷ ହୋଇଯାଇଥିବା ଯୋଗୁଁ ଆକ୍ରାନ୍ତ ମାନେ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପରିକି ଅମ୍ଳଜାନ ଅଭାବ ଥିବା ନେଇ ଡାକ୍ତରଖାନା ପକ୍ଷରୁ ଆକ୍ରାନ୍ତଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଅବଗତ କରାଯାଇନଥିବା କୁହାଯାଇଛି ।
ସେପଟେ କରୋନାରେ ଆକ୍ରାନ୍ତ ହେବା ପରେ ଡାକ୍ତରଖାନାରେ ଭର୍ତି ହୋଇଥିବା ନିଜ ପରିଜନଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ସମ୍ପର୍କୀୟ । ଅମ୍ଲଜାନ ଅଭାବ ପାଇଁ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ବେଳେ ଜାରି ରହିଛି ଅକ୍ସିଜେନ ସଂକଟ । ଜୟପୁର ଗୋଲ୍ଡେନ ହସ୍ପିଟାଲରେ ଏବେବି ୨୫୦ପାଖାପାଖି ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କ ପାଇଁ ମଧ୍ୟ ଅମ୍ଳଜାନର ଆବଶ୍ୟକତା ରହିଛି ।
Follow Us