ଦିଲ୍ଲୀରେ ଜାରି ରହିଛି ଅକ୍ସିଜେନ ସଂକଟ । ଗଙ୍ଗାରାମ ହସ୍ପିଟାଲ ପରେ ଜୟପୁର ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୪ଘଂଟାରେ ୨୫ ରୋଗୀଙ୍କ ମୃତ୍ୟୁ ।

53

କନକ ବ୍ୟୁରୋ: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ଗତିରେ ସଂକ୍ରମଣ ବଢାଉଛି । ଏପରି ସମୟରେ ଅମ୍ଲଜାନ ପାଇଁ ସବୁଆଡେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦିଲ୍ଲୀରେ ସ୍ଥିତି ସଙ୍ଗୀନ ରହିଛି । ଅକ୍ସିଜେନ୍ ଅଭାବରୁ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ୨୪ ଘଂଟାରେ ୨୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା ।

ଏବେ ପୁଣି ଦିଲ୍ଲୀ ସ୍ଥିତ ଜୟପୁର ଗୋଲ୍ଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବ ଯୋଗୁଁ ୨୫ଆକ୍ରାନ୍ତଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ହସ୍ପିଟାଲରେ ଅମ୍ଳଜାନ ଶେଷ ହୋଇଯାଇଥିବା ଯୋଗୁଁ ଆକ୍ରାନ୍ତ ମାନେ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।  ଏପରିକି ଅମ୍ଳଜାନ ଅଭାବ ଥିବା ନେଇ ଡାକ୍ତରଖାନା ପକ୍ଷରୁ ଆକ୍ରାନ୍ତଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଅବଗତ କରାଯାଇନଥିବା କୁହାଯାଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ  ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି, ସରକାରଙ୍କ ପକ୍ଷରୁ ଗୋଲ୍ଡେନ ହସ୍ପିଟାଲକୁ ଶୁକ୍ରବାର ଅପରାହ୍ନ ସୁଦ୍ଧା ୩ଦଶମିକ ୫ମେଟ୍ରିକ ଟନ ଅମ୍ଲଜାନ ଯୋଗାଇ ଦେବାର ଥିଲା । କିନ୍ତୁ ମଧ୍ୟରାତ୍ରରେ ଅମ୍ଲଜାନ ପହଂଚିଲା । ଏବଂ ତାହା ପୁଣି ୧୫ଶହ ମେଟ୍ରିକ ଟନ ଅମ୍ଲଜାନ ଯୋଗାଣ ହେଲା । ଫଳରେ ଏହି ସମୟରେ ଅମ୍ଲଜାନ ଅଭାବ ଯୋଗୁଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେପଟେ କରୋନାରେ ଆକ୍ରାନ୍ତ ହେବା ପରେ ଡାକ୍ତରଖାନାରେ ଭର୍ତି ହୋଇଥିବା ନିଜ ପରିଜନଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ସମ୍ପର୍କୀୟ । ଅମ୍ଲଜାନ ଅଭାବ ପାଇଁ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ବେଳେ ଜାରି ରହିଛି ଅକ୍ସିଜେନ ସଂକଟ । ଜୟପୁର ଗୋଲ୍ଡେନ ହସ୍ପିଟାଲରେ ଏବେବି ୨୫୦ପାଖାପାଖି ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କ ପାଇଁ ମଧ୍ୟ ଅମ୍ଳଜାନର ଆବଶ୍ୟକତା ରହିଛି ।

Comments are closed.