କନକ ବ୍ୟୁରୋ : ଚାରିଆଡ଼େ ସବୁଜିମା ପରିବେଶ । ଧାଡ଼ି ପ୍ରଣାଳୀରେ ଲାଗିଛି ଲଙ୍କା ପୋଟଳ, ବାଇଗଣ ଓ କୋବି ଫସଲ । ପଲିହାଉସ ଓ ବୁନ୍ଦା ଜଳସେଚନ ଭଳି ଅଧୁନିକ ପ୍ରଣାଳୀରେ ହୋଇଛି ଚାଷ । ପାଖାପାଖି ୨୫ ଏକର ଜମିରେ ପନିପରିବା ଚାଷ କରିବା ସହ ଚାରା ପ୍ରସ୍ତୁତ କରୁଛନ୍ତି କେନ୍ଦୁଝର ଚମ୍ପୁଆ ବ୍ଲକ ଇଛିଣ୍ଡା ଗାଁର ପ୍ରମୋଦ କୁମାର ମହାନ୍ତ । ବର୍ତ୍ତମାନ ପରିବା ଦର ଆକାଶ ଛୁଆଁ ରହିଥିବା ବେଳେ  ପ୍ରମୋଦଙ୍କ ଜମିରେ ହସୁଛି ସୁନା ଫସଲ । ଏହି ଜମିରୁ ଯେ କେବଳ ପ୍ରମୋଦ ନିଜେ ରୋଜଗାର କରୁଛନ୍ତି ତା’ ନୁହେଁ ପାଖାପାଖି ୨୦ ଜଣଙ୍କୁ ସେ ଦେଉଛନ୍ତି ରୋଜଗାର । ପ୍ରମୋଦଙ୍କ ଚାଷ ଜମିରୁ ଉତ୍ପାଦନ ହେଉଥିବା ପରିବା ସ୍ଥାନୀୟ ଅଂଚଳର ଆବଶ୍ୟକତା ମେଣ୍ଟାଇବା ସହ କେନ୍ଦୁଝର, ବଡ଼ବିଲ, କୁଆଖିଆ, ଯାଜପୁର ଏବଂ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡକୁ ମଧ୍ୟ ରପ୍ତାନୀ ହେଉଛି । କର୍ମଚାରୀଙ୍କୁ ଦରମା ଦେବା ଆଉ ସବୁ ଖର୍ଚ୍ଚ ଯିବା ପରେ ୭୦ରୁ ୮୦ ହଜାର ଟଙ୍କା ଲାଭ ପାଉଛନ୍ତି ପ୍ରମୋଦ । ଯାହା ତାଙ୍କ ପରିବାର ପ୍ରତିପୋଷଣରେ ବେଶ ସହାୟକ ହେଉଛି ।

Advertisment

ଗ୍ରାଜୁଏସନ୍ ପରେ ଭଲ ଚାକିରି କରିବା ପାଇଁ ଆଶା ରଖିଥିଲେ ପ୍ରମୋଦ । ଏଥିପାଇଁ ମଧ୍ୟ ସେ ମେଡ଼ିକାଲ କୋଚିଂ ନେଉଥିଲେ । ହେଲେ ଘରର ସମସ୍ୟା ପାଇଁ ଆଗକୁ ପାଠ ପଢ଼ିପାରିନଥିଲେ ପ୍ରମୋଦ । ତେଣୁ ସ୍ଥାନୀୟ ଅଂଚଳରେ ଖଣି ଖାଦାନରେ କାମ କରି କିଛି ରୋଜଗାର କରୁଥିଲେ । ଏହା ପରେ ବାଙ୍ଗାଲୋରରେ ୪-୫ ବର୍ଷ କିଛି କାମ କରୁଥିଲେ ପ୍ରମୋଦ । ହେଲେ ଘରୋଇ ଚାକିରିରୁ ଆତ୍ମସନ୍ତୋଷ ମିଳିପାରିନଥିଲା । ଆଉ ନିଜସ୍ୱ ଉଦ୍ୟମରେ କିଛି କାମ କରିବା ପାଇଁ ସେ ମନବଳାଇଥିଲେ ।

ସେବେଠାରୁ ଚାଷ କାମ ଆରମ୍ଭ କରିଥିଲେ ପ୍ରମୋଦ । ୧ ଏକର ଜମିରୁ ଆରମ୍ଭ ହୋଇଥିବା ଚାଷ ଏବେ ୨୫ ଏକରରେ ପହଂଚିଛି । ୨ଟା ପଲିହାଉସ କରି ସେ ଚାରା ଉତ୍ପାଦନ କରୁଛନ୍ତି ପ୍ରମୋଦା ଯାହା ସ୍ଥାନୀୟ ଅଂଚଳର ଚାଷୀଙ୍କ ଆବଶ୍ୟକତା ପୂରଣ କରିପାରୁଛି ।

ପ୍ରମୋଦଙ୍କ ଭଳି ଯୁବ ଚାଷୀଙ୍କ ଏଭଳି ଉଦ୍ୟମ ଏବେ ସ୍ଥାନୀୟ ଅଂଚଳର ଅନ୍ୟ ଚାଷୀଙ୍କ ପାଇଁ ପାଲଟିଛି ପ୍ରେରଣା ।