କେବଳ ଶ୍ରୀକ୍ଷେତ୍ରକୁ ଆଲୋକିତ କରିବା ପାଇଁ… । ଡହଡହ ଖରାରେ କାମ କରୁଛନ୍ତି ବିଦ୍ୟୁତ ବିଭାଗର କର୍ମଚାରୀ, ଆଜି ବଡଦାଣ୍ଡରେ ଜଳିପାରେ ଷ୍ଟ୍ରିଟଲାଇଟ ।

127

କନକ ବ୍ୟୁରୋ : ଚାରିଆଡେ କିଟିମିଟି ଅନ୍ଧାର, ସମୁଦ୍ର ଆଡୁ ଶୁଭୁଛି କେବଳ ଲହଡିର ଶବ୍ଦ । ସଞ୍ଚ ନଇଁଗଲା ମାତ୍ରେ ମୁହଁକୁ ମୁହଁ ଦେଖିବା କଷ୍ଟକର । ଏଭଳି ସ୍ଥିତି ଦେଇ ଗତି କରୁଛି ପୁରୀ ସହର । ବାତ୍ୟା ଫୋନି ବିଦାୟ ନେବାର ୯ ଦିନ ବିତି ଯାଇଥିଲେ ମଧ୍ୟ ପୁରୀରେ ଏଯାଏଁ ଜଳିନି ଆଲୁଅ । କିନ୍ତୁ ଏଭଳି ସ୍ଥିତିରେ ପୁରୀବାସୀଙ୍କ ପାଖରେ କିଭଳି ଶୀଘ୍ର ବିଦ୍ୟୁତ୍ ସେବା ପହଞ୍ଚି ପାରିବ ସେଥିପାଇଁ ଜି ଜାନ ଲଗାଇ ଦେଇଛି ପୁରୀ ପ୍ରଶାସନ ।

ପୁରୀ ବାସୀଙ୍କ ନିକଟରେ ବିଦ୍ୟୁତ ପହଞ୍ଚାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ । କେବଳ ଶ୍ରୀକ୍ଷେତ୍ରକୁ ଆଲୋକିତ କରିବା ପାଇଁ ୩୦୦୦ରୁ ଅଧିକ ଦକ୍ଷ ଟେକ୍ସିସିଆନ, ୩୦୦ରୁ ଅଧିକ ଓପିଟିସିଏଲ ଅଧିକାରୀ, ୩୦୦ରୁ ଅଧିକ ବିଦ୍ୟୁତ ବିଭାଗ କର୍ମଚାରୀ ଦିନ ରାତି ଏକ କରି ଦେଇଛନ୍ତି । ୪୦ ଡିଗ୍ରୀର ଡହଡହ ଖରାକୁ ଖାତିର ନକରି ୨୪ ଘଣ୍ଟିଆ କାର୍ଯ୍ୟ ଜାରି ରହିଛି । ବାତ୍ୟା ଫୋନି ପରେ ଏମାନେ ପୁରୀ ବାସୀଙ୍କ ପାଇଁ ଦେବଦୂତ ସାଜି ଉଭା ହୋଇଛନ୍ତି । ଲକ୍ଷ୍ୟ କେବଳ ଗୋଟିଏ, ଖୁବଶୀଘ୍ର ପୁରୀକୁ ଆଲୋକିତ କରିବା ।

ସ୍ଥାନୀୟ ଲୋକ ମଧ୍ୟ ସ୍ୱତଃପ୍ରବୃତ ଭାବେ ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ମେ ୧୩ ସୁଦ୍ଧା ପୁରୀ ସହରକୁ ଆଲୋକିତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମେ ୧୫ ସୁଦ୍ଧା ପୁରୀର ଆଖପାଖ ଅଞ୍ଚଳକୁ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି ଶକ୍ତି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଯେଉଁଥିପାଇଁ ଏବେ ବିଦ୍ୟୁତ ବିଭାଗର କର୍ମଚାରୀ ମିଶନ ମୋଡରେ କାର୍ଯ୍ୟ କରୁଛନ୍ତି ।

ଏସବୁ ଭିତରେ ଆଜି ସନ୍ଧ୍ୟା ସୁଦ୍ଧା ପୁରୀ ବଡଦାଣ୍ଡରେ ଷ୍ଟ୍ରିଟଲାଇଟ ଜଳିବ । ସେହିଭଳି ରାଜଧାନୀ ଭୁବନେଶ୍ୱରରେ ଏବେ ବିଦ୍ୟୁତ ସେବା ସ୍ୱାଭାବିକ ହେବାରେ ଲାଗିଛି । ଭୁବନେଶ୍ୱରର ସମସ୍ତ ଅଞ୍ଚଳକୁ ଆଜି ସୁଦ୍ଧା ବିଦ୍ୟୁତ ପହଞ୍ଚିବ ବୋଲି ପୂର୍ବରୁ ଡେଡଲାଇନ ଦିଆଯାଇଥିଲା । ଯେଉଁଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆଗେଇ ଚାଲିଛି ।