ଚର୍ଚ୍ଚାରେ ଉତ୍ତର ପ୍ରଦେଶ ରାଜନୀତି : ୨୪ ବର୍ଷ ପରେ ଗୋଟିଏ ମଂଚରେ ଏକାଠି ହେଲେ ମାୟାବତୀ ଓ ମୁଲାୟମ

156

କନକ ବ୍ୟୁରୋ : ଗୋଟିଏ ମଂଚରେ ଏକାଠି ହେଲେ ମାୟାବତୀ ଓ ମୁଲାୟମ । ଉତ୍ତର ପ୍ରଦେଶ ରାଜନୀତିର ଏହି ଚିତ୍ର ବେଶ୍ ଚର୍ଚ୍ଚାକୁ ଆସିଛି । କାରଣ ଦୀର୍ଘ ୨୪ ବର୍ଷ ପରେ ଏକାଠି ଦେଖିବାକୁ ମିଳୁଛି ଦୁଇ ନେତାଙ୍କୁ । ୧୯୯୫ ମସିହାର ଗେଷ୍ଟହାଉସ୍ ଘଟଣା ପରଠାରୁ କେବେ ବି ଏହି ଦୁଇ ହେଭିୱ୍ୱେଟଙ୍କୁ ଗୋଟିଏ ମଂଚରେ ଦେଖିବାକୁ ମିଳିନଥିଲା । ହେଲେ ଏବେ କିନ୍ତୁ ରାଜନୀତିର ଚିତ୍ର ବଦଳିଯାଇଛି । ଏବେ କ୍ଷମତାରେ ନାହାନ୍ତି ମାୟାବତୀ, କ୍ଷମତାରେ ନାହାନ୍ତି ମୁଲାୟମ୍ ସିଂ ଯାଦବ । ଉତ୍ତର ପ୍ରଦେଶର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଚଳିତ ଲୋକସଭା ନିର୍ବାଚନରେ ମୈନପୁର ଲୋକସଭା ଆସନର ରାଲିରେ ଏକାଠି ହେବାକୁ ବାଧ୍ୟ ହୋଇଛନ୍ତି ।

ଚଳିତ ଥର ଉତ୍ତର ପ୍ରଦେଶର ମୈନପୁର ଆସନରୁ ନିର୍ବାଚନ ଲଢୁଛନ୍ତି ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ । ଏଠାରେ ଅପ୍ରେଲ ୨୩ ତାରିଖରେ ହେବ ଭୋଟ୍ । ଏବେ ଏହି ଆସନରେ ମୁଲାୟମଙ୍କୁ ଜିତାଇବାକୁ ପ୍ରଚାର ମୈଦାନକୁ ଆସିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । କାରଣ ଏଥର ନିର୍ବାଚନରେ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟି ସହିତ ମେଂଟ କରି ନିର୍ବାଚନ ମୈଦାନକୁ ଆସିଛି । ଫଳରେ ମାୟାବତୀ ତାଙ୍କର ଏକଦା ଘୋର ରାଜନୈତିକ ବିରୋଧୀ ଥିବା ମୁଲାୟମଙ୍କ ପାଇଁ ଭୋଟ୍ ମାଗିବାକୁ ବାଧ୍ୟ ହୋଇଛନ୍ତି । ଦୀର୍ଘ ୨୪ ବର୍ଷ ପରେ ୟୁପି ରାଜନୀତିରେ ପ୍ରଥମଥର ପାଇଁ ଦୁଇ ହେଭିୱେଟ୍ ନେତା ଭୋଟ୍ ପାଇଁ ଗୋଟିଏ ମଂଚରେ ଏକାଠି ବସିଛନ୍ତି ।