ପାଲଲହଡା ବଡଝାର ଗାଁରେ ୨୪ ପଜିଟିଭ୍ : ଦିନକରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଗାଁକୁ କଂଟେନମେଂଟ ଜୋନ ଘୋଷଣା ପାଇଁ ଉପଜିଲ୍ଲାପାଳଙ୍କ ସୁପାରୀଶ

140

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକର ବଡଝାର ଗାଁରେ ୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ । ଦିନକରେ ଏତେ ସଂଖ୍ୟାରେ ଲୋକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କଂଟେନମେଂଟ ଜୋନ୍ ଘୋଷଣା କରିବାକୁ ଜିଲ୍ଲାପାଳଙ୍କୁ ସୁପାରୀଶ କରାଯାଇଛି । ପାଲଲହଡା ଉପଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଗତ ୨୩ ତାରିଖରେ ବଡଝାର ଗାଁରେ ୨ ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏମାନଙ୍କୁ ସଂଗରୋଧରେ ରଖାଯାଇଥିଲା । ତାପରେ ସେହି ଦୁଇ ଜଣଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ନମୂନା ପରୀକ୍ଷା ପାଇଁ ଯାଇଥିଲା ।

ସେମାନଙ୍କ ମଧ୍ୟରୁ ୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଏହି ଗାଁର ମୋଟ ସଂକ୍ରମିତଙ୍କ ସଂଖ୍ୟା ଏବେ ୨୬କୁ ବୃଦ୍ଧି ପାଇଛି । ଏହାର ମୁକାବିଲା ପାଇଁ ସରକାରଙ୍କ ଗାଇଡଲାଇନ ଅନୁସାରେ କଂଟେନମେଂଟ ଜୋନ କରିବାକୁ ଯୋଜନା କରିଛି ପ୍ରଶାସନ । ଗାଁ ଲୋକ ଯେମିତି ବାହାରକୁ ଆସି ନପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ବାହାର ଲୋକଙ୍କୁ ଗାଁ ଭିତରକୁ ଗାଡି ଚଳାଚଳ ବନ୍ଦ ରଖାଯାଇଛି। ଗାଁ ଲୋକ ଯେମିତି ବାହାରକୁ ଆସି ପାରିବେ ନାହିଁ, ତାର ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି । ମାଜିଷ୍ଟ୍ରେଟ ଦାୟିତ୍ଵରେ ଥିବା ଅତିରିକ୍ତ ତହସିଲଦାର ଦାମୋଦର ପ୍ରଧାନ, ଆଇଆଇସି କିଶୋର କୁମାର ସାମଲ ଏବଂ ଏ ଏସ୍ ଆଇ ରାଜକିଶୋର ବିଶ୍ଵାଳ ଗାଁକୁ ଯାଇ ପ୍ରତିଷେଧକ ବ୍ୟବସ୍ଥା କରିବା ସହ ଡାକ୍ତରୀ ଦଳ, ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦିମାନଙ୍କୁ ପ୍ରତିଷେଧକ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି ।