ସାବଧାନ ଶତ୍ରୁ ! ‘ରୋମିଓ’ ରାଡାରରୁ ମୁକୁଳିବା ମୁସ୍କିଲ । ଆକାଶରେ ଉଡି ଉଡି ଦେଖିବ, ନୀଳ ସମୁଦ୍ରର ଛାତି ଚିରି ଶତ୍ରୁଙ୍କୁ ନିପାତ କରିବ । ନୌସେନାରେ ସାମିଲ ହେବ ‘ରୋମିଓ’ ହେଲିକପ୍ଟର

563

କନକ ବ୍ୟୁରୋ: ‘ରୋମିଓ’ ଆସିବ, ଆତଙ୍କ ରଚିବ । ନୀଳ ସମୁଦ୍ରର ଛାତି ଚିରି ଶତ୍ରୁଙ୍କୁ ମାରିବ । ଭାରତୀୟ ନୌସେନାକୁ ଅଧିକ ଶକ୍ତିଶାଳୀ କରିବାକୁ ଆମେରିକାରୁ ଆସୁଛି ‘ରୋମିଓ’ । ଗଭୀର ସମୁଦ୍ରରେ ଶତ୍ରୁଙ୍କୁ ଟାର୍ଗେଟ କରି ନିପାତ କରିବାକୁ ଭାରତ କିଣୁଛି ରୋମିଓ ହେଲିକପ୍ଟର । ଆକାଶରେ ଉଡି ଉଡି ଶତ୍ରୁଙ୍କୁ ନିଶାନା ଲଗାଉଥିବା ଆମେରିକାର ଏହି ଅତ୍ୟାଧୁନିକ ହେଲିକପ୍ଟର ‘ଏମଏଚ- ୬୦ ଆର’କୁ ନୌସେନାରେ ସାମିଲ କରିବ ଭାରତ । ଆଉ ‘ରୋମିଓ’ର ଶକ୍ତି ମିଶିଗଲେ ଆହୁରି ବଳଶାଳୀ ହେବ ଭାରତୀୟ ନୌସେନା । ୪ ବର୍ଷ ଭିତରେ ଭାରତ ଆମେରିକା ଠାରୁ ମୋଟ ୨୪ଟି ‘ରୋମିଓ’ ହେଲିକପ୍ଟର କିଣିବାକୁ ଲକ୍ଷ୍ୟ ରଖିଛି ।

ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିବା ଆଗରୁ ହେଲିକପ୍ଟର କିଣା ପ୍ରସ୍ତାବକୁ ଗ୍ରୀନ ସିଗନାଲ ମିଳିଛି । ଆସନ୍ତା ୨୪ରେ ଟ୍ରମ୍ପ ଭାରତ ଗସ୍ତରେ ଆସିବାକୁ ଥିବା ବେଳେ ତା ପୂର୍ବରୁ ଭାରତ ଆମେରିକା ଠାରୁ ୨୪ଟି ହେଲିକପ୍ଟର କିଣିବା ନେଇ ମଞ୍ଜୁରୀ ମିଳିଛି । ଟ୍ରମ୍ପ ଆସିବା ପରେ ଏହି ଡିଲ ଉପରେ ଶେଷ ସ୍ୱାକ୍ଷର ଦେବେ ଆଉ ତାପରେ ଭାରତରୁ ଆସିବ ‘ରୋମିଓ’ ।

ଗତ ସେପ୍ଟେମ୍ବର ମାସରେ ମୋଦି ଆମେରିକା ଗସ୍ତ ସମୟରେ ଯୁଦ୍ଧାସ୍ତ୍ର କିଣାବିକା ନେଇ ଏକ ବିରାଟ ଡିଲ ହୋଇଥିଲା । ଏହି ଡିଲ ମୁତାବକ ୬ଟି ଆପାଚେ ଏବଂ ୨୪ଟି ରୋମିଓ କିଣିବାକୁ ଭାରତ ପ୍ରସ୍ତାବ ଦେଇଥିଲା । ଆଉ ଟ୍ରମ୍ପ ଆସିବା ପୂର୍ବରୁ ସବୁଜ ସଂକେତ ମିଳିଛି । ପ୍ରାୟ ୧୮ ହଜାର କୋଟି ଟଙ୍କାରେ ଏହି ରୋମିଓ କିଣା ଯାଉଥିବା ବେଳେ ଆଗାମୀ ଦୁଇ ବର୍ଷ ଭିତରେ ଏହା ଭାରତୀୟ ନୌସେନାରେ ସାମିଲ ହେବ ।

ସବୁଠାରୁ ବଡକଥା ହେଉଛି, ଏହି ହେଲିକପ୍ଟରର ନାମ ଯେମିତି କାମ ବି ସେମିତି । ‘ରୋମିଓ’ ପ୍ରେମଭରା ନାଁ ଭଳି ଲାଗୁଥିବା ବି ଏହା କିନ୍ତୁ ଶତ୍ରୁଙ୍କ ପାଇଁ ଭାରି କଠୋର । ତେବେ ନଜର ପକାନ୍ତୁ ରୋମିଓରେ ଏମିତି କେଉଁ ବିଶେଷତ୍ୱ ରହିଛି ଯାହା ପାଇଁ ଭାରତ ଆମେରିକା ଠାରୁ କିଣିବାକୁ ମନ ବଳାଇଲା ।

୧- ‘ରୋମିଓ’ ହେଲିକପ୍ଟର । ଆକାଶ ଉପରୁ ଶତ୍ରୁଙ୍କୁ ଖୋଜି ଖୋଜି ଆକ୍ରମଣ କରିବ
୨- ପାଣି ଭିତରେ ଶତ୍ରୁ ଦେଶର ବୁଡା ଜାହାଜକୁ ଟ୍ରାକ କରି ଟାର୍ଗେଟ କରିବ
୩- ସମୁଦ୍ରରେ ଆସୁଥିବା ଶତ୍ରୁଙ୍କ ଠିକଣା ଦେଇ ସେମାନଙ୍କ ଗତିବିଧି ଉପରେ ନଜର ରଖିବ ‘ରୋମିଓ’ ହେଲିକପ୍ଟର
୪- ୧୨ ହଜାର ମିଟର ଉଚ୍ଚରେ ଉଡି ପାରୁଥିବା ‘ରୋମିଓ’ ଆକାଶ ଉପରୁ ସଙ୍ଗେସଙ୍ଗେ ସମୁଦ୍ର ମଝିରେ ଓହ୍ଲାଇପାରିବ ।
୫- ଖରାପ ପାଗ ସହ ରାତିର ଘନ ଅନ୍ଧାର ଚିରି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବ ‘ରୋମିଓ’
୬- ମୋଟ ୯ ଜଣ ଏହି ହେଲପ୍ଟରରେ ବସିପାରିବେ । ତାସହ ୨ ଜଣ ପାଇଲଟ ମଧ୍ୟ ରହିବେ
୭- ଏହି ହେଲିପକ୍ଟଟର ଲମ୍ବା ୬୪ ଫୁଟ ହୋଇଥିବା ବେଳେ ଉଚ୍ଚତା ରହିଛି ୧୭ ଫୁଟ
୮- ରୋମିଓ ଦେହରେ ମିଶାଇଲ, ମେସିନଗନ ସହ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ମଧ୍ୟ ଖଞ୍ଜାଯାଇ ପାରିବ ।
୯- ରୋମିଓ ଗତି ଘଣ୍ଟାକୁ ୨୭୦ କିଲୋମିଟର ଥିବାବେଳେ ଆବଶ୍ୟକ ପଡିଲେ ଏହା ୩୩୦କୁ ମଧ୍ୟ ବଢିପାରିବ ।

ତେବେ ଚୀନ ଭଳି ଶତ୍ରୁ ଦେଶ ପାଣି ଭିତରେ ବୁଡି ବୁଡି ଆକ୍ରମଣ ଆଶଙ୍କାରେ ଏହି ହେଲିକପ୍ଟରକୁ କିଣିବାକୁ ଚାହିଁଥିଲା ଭାରତ । ଦୁଇ ବର୍ଷ ଭିତରେ ରୋମିଓ ଭାରତୀୟ ନୌସେନାରେ ସାମିଲ ହେବା ପରେ ଏହା ଶତ୍ରୁଙ୍କ ଛାତିରେ ଆତଙ୍କ ରଚିବ ।