ଅପହଂଚ ଇଲାକାରେ ଭୋଟିଂ ପାଇଁ ପ୍ରଶାସନର ସ୍ୱତନ୍ତ୍ର ବ୍ୟବସ୍ଥା । ବାୟୁସେନା ହେଲିକପ୍ଟରରେ ସ୍ୱାଭିମାନ ଅଂଚଳକୁ ଗଲେ ପୋଲିଂ ପାର୍ଟି

ସୁରକ୍ଷା ବ୍ୟବସ୍ଥା କଡାକଡି

155

କନକ ବ୍ୟୁରୋ: ମାଲକାନଗିରି ଅପହଂଚ ଇଲାକାରେ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ମାଲକାନଗିରିରୁ ବାୟୁସେନାର ହେଲିକପ୍ଟର ଯୋଗେ ପୋଲିସ ପାର୍ଟିଂ ସ୍ୱାଭିମାନ ଅଂଚଳର କୁନ୍ତୁରିପଦରରେ କରାଯାଇଥିବା ବେସ୍ କ୍ୟାମ୍ପକୁ ଯାଇଛନ୍ତି । ଇଭିଏମ ଓ ଭିଭିଆପଟ ମେସିନ ସହ ପୋଲିଂ ଅଫିସର ମାନେ ସ୍ୱାଭିମାନ ଅଂଚଳକୁ ଯାଇଛନ୍ତି । ତାଙ୍କ ସହ ସୁରକ୍ଷା କର୍ମୀ ମଧ୍ୟ ଯାଇଛନ୍ତି । ତେବେ ସୁରୁଖୁରୁରେ ନିର୍ବାଚନ ପରିଚାଳନା ପାଇଁ ଜିଳ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଛି ।

ସେପଟେ, ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି । ଜୟପୁରର ବୁଥ୍ ଗୁଡିକରେ ଇଭିଏମ ପହଂଚିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କାଲି ସକାଳ ୭ଟାରୁ ଆରମ୍ଭ ହେବ ମତଦାନ । ଭୋଟ୍ ପଡିବାକୁ ଥିବା ସମସ୍ତ ବୁଥରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ୨୪ ଘଂଟା ବାକି । ଏଣିକି ଭୋଟରଙ୍କ ହାତରେ ଚାବି । ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ଓଡ଼ିଶାରେ ହେବାକୁ ଥିବା ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ପାଇଁ ସମସ୍ତ ରାଜନୈତିକ ଦଳର ନେତା ନିଜ ନିଜ ପ୍ରଚାର ଶେଷ କରିଛନ୍ତି । ମାଓ ଇଲାକାରେ ଆସୁଥିବା କୋରାପୁଟ ଓ ମାଲକାନଗିରିରେ ସୀମା ସିଲ୍ ସହିତ ସମସ୍ତ ବୁଥରେ ପୁଲିସ ମୁତୟନ ବ୍ୟବସ୍ଥା ହୋଇଛି । ସେହିପରି ରାୟଗଡା ଓ କନ୍ଧମାଳ ଜିଲ୍ଲା ସୀମାବର୍ତି ନକ୍ସଲ ପ୍ରଭାବିତ ଅଂଚଳରେ ୨ ପ୍ଲାଟୁନ ଡିଭିଏଫ ଫୋର୍ସ ମୁତୟନ ସହ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିଜ ନିଜ ବୁଥ୍ରେ ପୁଲିଂ ଦଳ ପହଂଚି ସାରିଛନ୍ତି । ଆଜି ଇଭିଏମ ମେସିନ୍ ଗୁଡିକର ପରୀକ୍ଷାମୂଳକ ଭାବେ ଯାଂଚ କରାଯିବ । ପ୍ରଥମ ପର୍ଯ୍ୟାୟରେ ୬୦ଲକ୍ଷ ୩ହଜାର ୭୦୭ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି ।