ଆପଣଙ୍କ ଅଞ୍ଚଳରେ ନେତା କରୁଛନ୍ତି କି ଆଚରଣବିଧିର ଉଲ୍ଲଂଘନ ? ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍, ଏହି ନମ୍ବରରେ କରନ୍ତୁ ଅଭିଯୋଗ ।

347

କନକ ବ୍ୟୁରୋ : ନିର୍ବାଚନ ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ୍ । ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜିଠାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ । ୨୦୧୯ ସାଧାରଣ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହି କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ ବୋଲି ଜଣାପଡିଛି । କଣ୍ଟ୍ରୋଲ ରୁମର ନମ୍ବର ହେଉଛି, ୦୬୭୪୨୩୯୫୦୧୫ । ଏହି ନମ୍ବରରେ ଜନସାଧାରଣ ନିର୍ବାଚନ ସମ୍ପର୍କିତ ଅନୀୟମିତତା ଏବଂ ଆଦର୍ଶ ଆଚରଣବିଧି ଉଲ୍ଲଂଘନ ସମ୍ପର୍କିତ ଅଭିଯୋଗ କରିପାରିବେ । ଅଭିଯୋଗ ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।

୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ପ୍ରାଧାନ୍ୟ ଦିଆଯାଉଛି । ସେପଟେ ନିର୍ବାଚନ ଯେତିକି ପାଖଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ଉଷ୍ମତା ସେତିକି ବଢି ବଢି ଚାଲିଛି । ନିର୍ବାଚନ ତାରିଖ ଘୋଷଣା ସରିଥିବା ବେଳେ ନିର୍ବାଚନ ଆଦର୍ଶ ଆଚରଣବିଧି ମଧ୍ୟ ଲାଗୁ ହୋଇସାରିଛି । ତେବେ ଏହାକୁ ନେଇ ମଧ୍ୟ ରାଜନୀତି ତେଜିବାରେ ଲାଗିଛି । ନିର୍ବାଚନ ଆଚରଣବିଧିର ଉଲ୍ଲଂଘନ କରାଯାଉଥିବା ରାଜନୈତିକ ଦଳଗୁଡିକ ପରସ୍ପର ବିରୋଧରେ ଅଭିଯୋଗ ଆଣୁଛନ୍ତି ।