ବାହାରେ ମଳତ୍ୟାଗ କଲେ ମିଳିବନି ରାସନ ! ସ୍ୱଚ୍ଛତା ପାଇଁ ଗଂଜାମ ଗୌତମୀ ପଞ୍ଚାୟତରେ ଅଭିନବ ପ୍ରୟାସ, ବାହାରେ ମଳତ୍ୟାଗ କରିବାରୁ ୨୪ ପରିବାରକୁ ରାସନ ବନ୍ଦ କଲେ ସରପଂଚ

Advertisment
ବାହାରେ ମଳତ୍ୟାଗ କଲେ ମିଳିବନି ରାସନ ! ସ୍ୱଚ୍ଛତା ପାଇଁ ଗଂଜାମ ଗୌତମୀ ପଞ୍ଚାୟତରେ ଅଭିନବ ପ୍ରୟାସ, ବାହାରେ ମଳତ୍ୟାଗ କରିବାରୁ ୨୪ ପରିବାରକୁ ରାସନ ବନ୍ଦ କଲେ ସରପଂଚ

କନକ ବ୍ୟୁରୋ: ସ୍ୱଚ୍ଛତା ଓ ବାହ୍ୟ ମଳମୁକ୍ତ ଗ୍ରାମାଞ୍ଚଳ ଗଠନ ପାଇଁ ଗଞ୍ଜାମ ଜିଲ୍ଲାପାଳ ପ୍ରଶାସନ ଗୋଲାପ ବାଣ୍ଟିବାଠୁ ଆରମ୍ଭ କରି ଘଣ୍ଟ ବଜାଇବା, ଠାକୁରଙ୍କ ବାନା ପୋତିବା ଓ ରାସ୍ତା କଡ଼ରେ ତୁଳସୀ ଗଛରୋପଣ ପର୍ଯ୍ୟନ୍ତ ସବୁ ପ୍ରୟାସ ହାତକୁ ନେଲା। ତଥାପି ସ୍ଥିତିରେ ସୁଧାର ଆସିପାରିଲାନି। ଶେଷରେ ଜନପ୍ରତିନିଧି ନିଜ ପଞ୍ଚାୟତରେ ସ୍ବଚ୍ଛତାକୁ ଗୁରୁତ୍ବ ଦେଇ ଅଣ୍ଟା ଭିଡ଼ିଛନ୍ତି। ଆଉ ଯେଉଁ ପରିବାରର ଲୋକେ ବାହାରେ ମଳତ୍ୟାଗ କରିବେ, ସେମାନଙ୍କ ରାସନ୍ ବନ୍ଦ କରିଦିଆଯିବ ବୋଲି ବିଧିବଦ୍ଧ ଭାବେ କଟକଣା ଜାରି କରିବା ସହ ଏହାକୁ କାର୍ଯ୍ୟକାରୀ କରିଛନ୍ତି। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ସ୍ବାଇଁ ଏଭଳି ଅଭିନବ ପଦକ୍ଷେପ ନେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

publive-image

ପୂର୍ବ ନିଷ୍ପତ୍ତି ଅନୁସାରେ ବାହାରେ ମଳତ୍ୟାଗ କରୁଥିବା ୨୪ ପରିବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ରାସନ୍ ଦେବାକୁ ମନା କରିଛନ୍ତି। ଗୌତମୀ ପଞ୍ଚାୟତରେ ସମୁଦାୟ ୨୦୦୦ ପରିବାର ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୮୦ ଘରେ ପାଇଖାନା ନାହିଁ। ସେମାନେ ରାସ୍ତା କଡ଼ କିମ୍ବା କୌଣସି ଖୋଲା ସ୍ଥାନରେ ଶୌଚ ଯାଇଥାନ୍ତି। ପଞ୍ଚାୟତରେ ସ୍ବଚ୍ଛ ଭାରତ ଯୋଜନାରେ ମୋ ପାଇଖାନା ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଥିଲା। କିନ୍ତୁ ବାହାରେ ମଳତ୍ୟାଗ କଲେ ଆଉ ରାସନ୍ ମିଳିବନି ବୋଲି ଗତ ମାସ ୨୦ ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଯେଉଁମାନଙ୍କ ପାଇଖାନା ନାହିଁ ସେମାନେ ତୁରନ୍ତ ଆବେଦନ କରିବାକୁ ବିଜ୍ଞପ୍ତି ଜାରି ହୋଇଥିଲା।

ଏହା ମଧ୍ୟରେ ପଞ୍ଚାୟତରେ ମିଳୁଥିବା ମାସିକ ରାସନ ଗତ ୨୭ ଓ ୨୮ ତାରିଖରେ ମିଳିଯାଇଛି। ହେଲେ ପାଇଖାନା ନ କରି ବାହାରେ ମଳତ୍ୟାଗ କରୁଥିବା ଜଣାପଡ଼ିବାରୁ ୨୪ ପରିବାର ରାସନ ପାଇବାରୁ ବଞ୍ଚିତ ହୋଇଛନ୍ତି। ବାହାରେ ମଳତ୍ୟାଗ ନ କରି ଘରେ ପାଇଖାନା କରିବା ପାଇଁ ଗ୍ରାମବାସୀମାନଙ୍କୁ ଉତ୍ସାହିତ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସରପଞ୍ଚ ସୁଶାନ୍ତ କହିଛନ୍ତି। ସେହିପରି ଗାଁରେ ସ୍ବଚ୍ଛତା ତଦାରଖ ପାଇଁ ୩ଶହ ମହିଳା ଓ ପୁରୁଷଙ୍କୁ ନିୟୋଜିତ କରାଯାଇଛି। ଯେଉଁମାନେ ଗାଁରେ ପହରା ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe