ରାଜ୍ୟରେ ଆଉ ୨୩ କରୋନା ପଜିଟିଭ: ବାଲେଶ୍ୱରରୁ ସର୍ବାଧିକ ୧୫ ପଜିଟିଭ ଚିହ୍ନଟ; ଗଞ୍ଜାମ ଓ ଯାଜପୁରରୁ ୩ ଜଣ ଲେଖାଏଁ ଏବଂ ବୌଦ୍ଧ ଓ ପୁରୀରେ ଜଣେ ଲେଖାଏଁ କରୋନା ସଂକ୍ରମିତ ଠାବ

1,715

କନକ ବ୍ୟୁରୋ: ଆଜି ରାଜ୍ୟରେ ଆଉ ୨୩ ଜଣଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି । ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ବାଲେଶ୍ୱର, ଗଜାଂମ, ଯାଜପୁର, ପୁରୀ ଏବଂ ବୌଦ୍ଧ ଜିଲ୍ଲାରୁ ହୋଇଥିବା ସୂଚନା ମିଳିଛି । ତେବେ ୨୩ ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ୱରରୁ ସର୍ବାଧିକ ୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଂଜାମ ଏବଂ ଯାଜପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ନୂଆ ସଂକ୍ରମିତ ଠାବ ହୋଇଛନ୍ତି । ସେହିଭଳି ପୁରୀ ଏବଂ ବୌଦ୍ଧରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି କଣ ରହିଛି । ଏମାନେ ବାହାର ଫେରନ୍ତା ନା କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି , ସେନେଇ କୌଣସି ସୂଚନା ସ୍ପଷ୍ଟ କରିନାହିଁ ବିଭାଗ । କେବଳ ଚିହ୍ନଟ ହୋଇଥିବା ୨୩ ନୂଆ ଆକ୍ରାନ୍ତ ବାଲେଶ୍ୱର, ଗଂଜାମ, ପୁରୀ, ବୌଦ୍ଧ ଏବଂ ଯାଜପୁର ଜିଲ୍ଲାର ବୋଲି ବୋଲି ସ୍ପଷ୍ଟ କରିଛି ବିଭାଗ । ଅନ୍ୟପଟେ ନୂଆ ଆକ୍ରାନ୍ତଙ୍କ ମିଶାଇ ଗଂଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ୧୫୭କୁ ବୃଦ୍ଧି ପାଇଥିବା ବେଳେ ୧୫୬ ଜଣ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।

ସେହିଭଳି ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କୁ ମିଶାଇ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭ରେ ପହଂଚିଲା ଏବଂ ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୬ଟି ମାମଲା ସଂକ୍ରିୟ ରହିଛି । ତେବେ ପୁରୀରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ୪ଜଣ କରୋନାରେ ସଂକ୍ରମିତ ହେଲେଣି । ଏମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଗରକୁ ଫେରିଥିବା ବେଳେ ୩ ଜଣ ବର୍ତ୍ତମାନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିଭଳି ଯାଜପୁରରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪କୁ ବୃଦ୍ଧି ପାଇଥିବା ବେଳେ ୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ଚିକିତ୍ସତ ହେଉଛନ୍ତି ୬୨ ଜଣ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ବୌଦ୍ଧରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ କୁ ବଦ୍ଧି ପାଇଥିବା ବେଳେ ସମସ୍ତ ୫ ପଜିଟିଭ ସଂକ୍ରିୟ ଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ମୋଟ ଉପରେ କହିବାକୁ ଗଲେ ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭ରେ ପହଂଚିଛି । ଏଥିମଧ୍ୟରୁ ୩୪୯ଟି ସଂକ୍ରୟ ମାମଲା ରହିଥିବା ବେଳେ ୮୫ ଜଣ ସୁସ୍ଥ ହୋଇ ବର୍ତ୍ତମାନ ଘରକୁ ଫେରିଛନ୍ତି ଏବଂ ୩ ଜଣଙ୍କର ଦୁର୍ଭାଗ୍ୟବଶତଃ ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।