ଟିକା ନେବାପରେ ବି ବୋଲମାନୁନି କରୋନା, ମୁମ୍ବାଇର କେଇଏମ୍ ହସ୍ପିଟାଲରେ ୨୩ ଡାକ୍ତରୀ ଛାତ୍ର ପଜିଟିଭ୍

81

କନକ ବ୍ୟୁରୋ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର କେଇଏମ୍ ହସ୍ପିଟାଲରେ ୨୩ ଜଣ ଡାକ୍ତରୀଛାତ୍ର କରୋନା ସଂକ୍ରମିିତ ହୋଇଛନ୍ତି । କରୋନାରେ ସଂକ୍ରମିତ ହୋଇଥିବା ଏହି ଛାତ୍ରମାନଙ୍କ ମଧ୍ୟରୁ କିଛି କରୋନା ଟିକାର ପ୍ରଥମ ଡୋଜ ନେଇଥିବା ବେଳେ କିଛି ଛାତ୍ର ଟିକାର ଉଭୟ ଡୋଜ ନେଇସାରିଛନ୍ତି । ନ୍ୟୁଜ୍ ଏଜେନ୍ସି ଏଏନଆଇର ସୂଚନା ମୁତାବକ କିଛି ଛାତ୍ରଙ୍କ ଠାରେ କରୋନାର ହାଲକା ଲକ୍ଷଣ ଦେଖିବାକୁ ମିଳିଛି । ସଂକ୍ରମିତ ହୋଇଥିବା ଡାକ୍ତରୀ ଛାତ୍ରଙ୍କ ମଧ୍ୟରୁ ୨ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ସଂଗରୋଧରେ ରଖାଯାଇଛି ।

ମୁମ୍ବାଇ ମେୟର କିଶୋରୀ ପେଡନେକର କହିଛନ୍ତି କି, କଲେଜ ମଧ୍ୟରେ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଖେଳ ସମାରୋହ ଫଳରେ ଏଭଳି ସଂକ୍ରମଣ ହୋଇଛି । କହିରଖୁ କି, କେଇଏମ ହେଉଛି ମୁମ୍ବାଇର ଏକ ବଡ ହସ୍ପିଟାଲ । ଏହି ହସ୍ପିଟାଲରେ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ କରିବାକୁ ବାୟୁସେନା ମେଡିକାଲ ଉପରେ ଫୁଲବର୍ଷା କରିଥିଲା । ଅନ୍ୟପଟେ ମୁମ୍ବାଇରେ ପୁଣି ଥରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଇଛି । ବୁଧବାର ଦିନ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୧୮୭ ରହିଥିଲା ।

ସୂଚନା ଥାଉକି ଦେଶରେ ଏବେ କରୋନା ସଂକ୍ରମଣର ଦୈନିକ ମାମଲାରେ କିଛି ସୁଧାର ଆସିଛି । ଗୁରୁବାର ସାରା ଦେଶରେ ୨୦ ହଜାରରୁ ସାମାନ୍ୟ ଅଧିକ ଲୋକ ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛି ।