ୟୁପି ଗାଜିଆବାଦରେ ମର୍ମନ୍ତୁଦ ଦୁର୍ଘଟଣା: ଶ୍ମଶାନର ଆଶ୍ରୟସ୍ଥଳୀର ଛାତ ଭୁଶୁଡି ୨୩ ଜଣଙ୍କ ମୃତ୍ୟୁ, ୨୦ରୁ ଅଧିକ ଆହତ; ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା

ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

97

କନକ ବ୍ୟୁରୋ: ଉତରପ୍ରଦେଶର ଗାଜିଆବାଦରେ ଘଟିଛି ଛାତି ଥରାଇ ଦେଲା ଭଳି ଦୁର୍ଘଟଣା । ମୁରାଦନଗରର ଏକ ଶ୍ମଶାନରେ ଥିବା ଆଶ୍ରୟସ୍ଥଳୀର ଛାତ ଭୁଶୁଡି ପଡିବାରୁ ୨୩ ଜଣ ଲୋକଙ୍କ ଜୀବନ ଯାଇଛି ।  ଆଉ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦାହ ସଂସ୍କାର ପାଇଁ ଯାଇଥିବା ଜଣେ ମୃତକଙ୍କ ପରିବାର ଓ ଜ୍ଞାତିପରିଜନ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ମୃତ ବ୍ୟକ୍ତିଙ୍କୁ ମୁଖାଗ୍ନି ଦେବାକୁ ଆସିଥିବା ତାଙ୍କ ପୁଅର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏନଡିଆରଏଫ ଓ ସ୍ଥାନୀୟ ପୁଲିସ ଯୁଦ୍ଧକାଳୀନଭିତିରେ ଉଦ୍ଧାର କାର୍ଯ୍ୟ କରିବାରୁ ଅନେକ ଆହତଙ୍କ ଜୀବନ ବଂଚିଯାଇଛି । ଘଟଣାସ୍ଥଳରେ ହିଁ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଆଖି ବୁଜିଛନ୍ତି ୩ ଆହତ ।  ମୁରାଦାବାଦର ଏକ ଶ୍ମଶାନରେ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଉଥିଲା । ଏହି ସମୟରେ ବର୍ଷା ହେବାରୁ ସମସ୍ତେ ଶ୍ମଶାନରେ ଥିବା ଆଶ୍ରୟସ୍ଥଳକୁ ୫୦ରୁ ଅଧିକ ଲୋକ ଚାଲି ଆସିଥିଲେ । ଏହି ସମୟରେ ଆଶ୍ରୟସ୍ଥଳର ଛାତ ଅଚାନକ ଭୁଶୁଡି ପଡିବାରୁ ଏହି ଦୁଃଖଦ ଘଟଣା ଘଟିଛି ।

ଭୁଶୁଡି ପଡିଥିବା ଆଶ୍ରୟସ୍ଥଳୀର ନିର୍ମାଣ କାମ ମାତ୍ର ଅଢେଇ ମାସ ପୂର୍ବେ ଶେଷ ହୋଇଥିବା ଜଣାପଡିଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ୨ଲ କ୍ଷ ଟଙ୍କାର ଅନୁକମ୍ପାମୂଳକ ସହୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଅନ୍ୟପଟେ ଏହି ମାମଲାରେ ଠିକାଦାର, ଜେଇ ସହ ଇଓଙ୍କ ନାଁରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।