ଆଉ ମୁଁ କଷ୍ଟ ସହିପାରୁନି, ମୋତେ ମୁତ୍ୟୁ ଦିଅ… । ମେରୁଦଣ୍ଡ ଭାଙ୍ଗିବାରୁ ୮ ବର୍ଷ ହେବ ବିଛଣାରେ ପଡିରହିଛନ୍ତି, ଯେତେ ଗୁହାରି କଲେ ବି କେହି ଶୁଣୁନାହାନ୍ତି । ଏବେ ମୃତ୍ୟୁ ହିଁ ଶେଷ ଭରସା ।

931

କନକ ବ୍ୟୁରୋ : ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ । ଜୀବନ ପଥରେ ସମସ୍ତଙ୍କୁ ସଂଘର୍ଷର ରାସ୍ତା ଦେଇ ଅତିକ୍ରମ କରିବାକୁ ପଡେ । ଆଉ ଯେତେବେଳେ କଂଟକିତ ରାସ୍ତାରେ ସବୁଆଡେ କଳାଅନ୍ଧାର ଦେଖାଯାଏ, ଆଉ ଯନ୍ତ୍ରଣାରେ ଜୀବନ ଜର୍ଜରିତ ହୁଏ, ସେତେବେଳେ, ଜୀବନ ଯୁଦ୍ଧରେ ହାରିଯାଏ ମଣିଷ । ଆଉ ଜୀବନ ଯନ୍ତ୍ରଣାର ଏହି କଷ୍ଟ ଭିତରେ ଭାଙ୍ଗି ପଡିଛନ୍ତି ଶଯ୍ୟାଶାୟୀ ହୋଇପଡିଥିବା ସଚିଦାନନ୍ଦ ।

ଇଏ ହେଉଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାଣିଗଞ୍ଜ ଗ୍ରାମର ୨୨ ବର୍ଷୀୟ ସଚିଦାନନ୍ଦ ବେହେରା । ଦଶମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ତାଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିଲା । ଆଉ ସେବେଠାରୁ ଦୀର୍ଘ ୮ ବର୍ଷ ହେଲା ଶଯ୍ୟାଶାୟୀ ହୋଇ ରହିଛନ୍ତି ସଚିଦାନନ୍ଦ । ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନଥିବା ବେଳେ ବର୍ଷ ବର୍ଷ ଧରି ଖଟିଆରେ ପଡିରହି ଛଟପଟ ହେବାରୁ ସେ ମୁକ୍ତି ଚାହୁଁଛନ୍ତି । ଅସହ୍ୟ ଯନ୍ତ୍ରଣାକୁ ସହ୍ୟ ନକରିପାରି ଶେଷରେ ରାଜ୍ୟପାଳଙ୍କୁ ମାଗିଛନ୍ତିି ଇଚ୍ଛା ମୃତ୍ୟୁ ।

ସଚିଦାନନ୍ଦଙ୍କ ବାପା ଜଣେ ଦିନ ମଜ୍ରୁରିଆ ହୋଇଥିବା ବେଳେ ମୂଲ ଲାଗି ପୁଅର ଯଥାସମ୍ଭବ ଚିକିତ୍ସା କରିବା ସହ ପରିବାର ମଧ୍ୟ ପ୍ରତିପୋଷଣ କରୁଛନ୍ତି । ଘରେ ଯାହା ଥିଲା ପୁଅର ଚିକିତ୍ସା ପାଇଁ ସବୁକିଛି ବିକ୍ରି କରିସାରିଲେଣି । ହେଲେ ଅପରେସନ ପାଇଁ ଆବଶ୍ୟକ ହେଉଥିବା ଟଙ୍କା ଯୋଗାଡ ହୋଇପାରୁନାହିଁ । ସମୟ ଗଡୁଛି, ସେପଟେ ସଚିଦାନନ୍ଦଙ୍କ ଜୀବନ ପ୍ରତି ମଧ୍ୟ ବିପଦ ବଢୁଛି । ପୁଅର ଚିକିତ୍ସାକୁ ନେଇ ମାଁ ଆଖିରୁ ଲୁହ ଶୁଖୁନଥିବା ବେଳେ ବାପାଙ୍କ ଆଖିରୁ ନିଦ ହଜିଯାଇଛି । ସେପଟେ ସଚିଦାନନ୍ଦଙ୍କ ବିଷୟରେ ଶୁଣିବା ପରେ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ପୁଳା ପୁଳା ଯୋଜନା କରିଛନ୍ତି । ହେଲେ ସଚିଦାନନ୍ଦଙ୍କ କ୍ଷେତ୍ରରେ ଏହି ଯୋଜନା ସତେ ଯେମିତି ବାଟବଣା ହୋଇପଡିଛି । ସବୁଠାରୁ ବଡ କଥା ହେଉଛି, ଯୋଜନାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ, ସଚିଦାନନ୍ଦଙ୍କ ଯନ୍ତ୍ରଣାର ସ୍ୱର କାହା କାନରେ ପଡୁନି କେମିିତି । ୮ ବର୍ଷ ଧରି ମୃତ୍ୟୁ ସହ ସଂଘର୍ଷ କରୁଥିବା ସଚିଦାନନ୍ଦଙ୍କୁ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଠାରୁ ନିରାଶା ମିଳିବା, ବ୍ୟବସ୍ଥାର ବିଡମ୍ବନା ନୁହେଁ କି ।