ଅଧାରେ ଅଟକିଲା ଗରିବ ଝିଅର ପୋଲିସ ହେବାର ସ୍ୱପ୍ନ । ବ୍ରେନ ଟ୍ୟୁମର ପରେ ବଦଳିଗଲା ଜୀବନର ମୋଡ, ଯନ୍ତ୍ରଣାର ବିଛଣାରେ ବିତୁଛି ଜୀବନ ।

799

କନକ ବ୍ୟୁରୋ: ବିଛଣାରେ ଶୋଇଛି ପୋଲିସିଆ ସ୍ୱପ୍ନ । ରୋଗ ଯନ୍ତ୍ରଣାର ଚାବୁକ ମାଡରେ ମଉଳି ଯାଇଛି ଜୀବନକୁ ନେଇ ଦେଖିଥିବା ସୁନେଲୀ ସପନ । ସେ ହାରିଯାଇଛି, ସେ ଭାଙ୍ଗି ଯାଇଛି, ନିଜକୁ ନେଇ ଜାଳିଥିବା ଆଶାର ଆଲୋକ ଅନ୍ଧାର ହୋଇଛି । ଅନ୍ୟମାନଙ୍କ ପରି ବାପାମାଆଙ୍କ ଇଚ୍ଛାକୁ ପୂରଣ କରିବାକୁ ସୁମିତ୍ରା ବି କରୁଥିଲେ ପ୍ରାଣମୂର୍ଚ୍ଚା ଉଦ୍ୟମ । ପୋଲିସ ଚାକିରି କରି ଘରର ଦୁଃଖ ଦୂର କରିବା ସହ ସମାଜର ସେବା ପାଇଁ ସେ ଦେଖୁଥିଲେ ଅହରହ ସ୍ୱପ୍ନ । ହେଲେ ତାଙ୍କ ସ୍ୱପ୍ନରେ ଲାଗିଲା ସମୟର ନଜର । ବିଧାତା ଖେଳିଲା ବ୍ରେନ ଟ୍ୟୁମରର ଖେଳ । ଆଉ ଏବେ ସୁମିତ୍ରାଙ୍କ ସବୁ ସ୍ୱପ୍ନ ରୋଗ ଶଯ୍ୟାରେ ଶୋଇଛି ।

ପୁରୀ କପିଳେଶ୍ୱରପୁର ଗାଁ ପ୍ରଥମ ସରେ ରୁହନ୍ତି କୁମର ନାଏକ । ଶ୍ରୀମନ୍ଦିରରେ କାଠ ଚିରି ପରିବାର ପୋଷୁଥିବା କୁମର ନିଜ ଝିଅକୁ ନେଇ ଅନେକ ସ୍ୱପ୍ନ ଦେଖୁଥିଲେ । ଜଗା ଦୁଆରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ସିନା ପରିଶ୍ରମ କରୁଥିଲେ ହେଲେ ଝିଅ ତାଙ୍କର ନାଁ ରଖୁ, ବଡ ଚାକିରି କରୁ ଏଇ କଥା ଭାବୁଥିଲେ କୁମର । ଝିଅ ସୁମିତ୍ରା ବି ବାପାଙ୍କ ସ୍ୱପ୍ନଙ୍କୁ ସତ କରିବାକୁ ୨୦୧୮ରେ ଓଡିଶା ପୋଲିସରେ ଇନଟରଭ୍ୟୁ ଦେଇଥିଲେ । ହେଲେ କିଏ ଜାଣିଥିଲା ସେହି ଦିନ ହିଁ ହେବ ତାଙ୍କ ଜୀବନର ସବୁଠାରୁ ଦୁଃଖଦ ଦିନ, ସ୍ୱପ୍ନଭଙ୍ଗର ଦିନ ।

ଇନଟରଭ୍ୟୁ ଚାଲିଥିବା ବେଳେ ମୁଣ୍ଡ ବୁଲାଇ ଦେବାରୁ ସେ ତଳେ ପଡିଯାଇଥିଲେ । ପରେ ଝିଅ ଦୁର୍ବଳ ଥିବା ଭାବି ସାଧାରଣ ଔଷଧ ଦେଇ ଚିକିତ୍ସା କରାଇଥିଲେ ପରିବାର ଲୋକେ । ମାତ୍ର ସେବେଠାରୁ କେବେ ବି ସୁମିତ୍ରାଙ୍କ ଦେହ ଭଲ ରହେନାହିଁ । ଧିରେଧିରେ ଝିଅ ଅସୁସ୍ଥ ହେବା ପରେ ପ୍ରଥମେ ପୁରୀ ବଡ ମେଡିକାଲ, ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେଖାଇବା ପରେ ସୁମିତ୍ରାଙ୍କୁ ବ୍ରେନ ଟ୍ୟୁମର ହୋଇଥିବା ଜଣାପଡିଥିଲା । ଆଉ ଝିଅ ଦେହରେ ଏତେ ବଡ ରୋଗ କଥା ଶୁଣି ବାପାମାଆଙ୍କ ପାଦ ତଳୁ ମାଟିଖସି ଯାଇଥିଲା ।

ସୁମିତ୍ରାଙ୍କୁ ଭଲ କରିବାକୁ ବାପା କଷ୍ଟେମଷ୍ଟେ ଏଣୁତେଣୁ ଲକ୍ଷେ ଟଙ୍କା ଯୋଗାଡ କରି ଚିକିତ୍ସା କରାଇଥିଲେ ବି ଅପରେସନ ପାଇଁ ଦରକାର ଆହୁରି ୪ ଲକ୍ଷ । ଏତେ ଟଙ୍କା କେଉଁଠୁ ଆସିବ । କାଳିଆ ଘରେ କାଠ ଚିରିରେ ଘର ଚଳେ ସେଥିରେ ୪ ଲକ୍ଷ କିଏ, କୁମର କିଏ । ତେଣୁ ହସ୍ପିଟାଲରୁ ଫେରାଇ ଆଣି କାଳିଆ ଭରସାରେ ଏବେ ଘରେ ରଖିଛନ୍ତି ।

ସେପଟେ ଝିଅର ବିବାହ ପାଇଁ ଅନେକ ପ୍ରସ୍ତାବ ଆସୁଥିବା ବେଳେ ବ୍ରେନ ଟ୍ୟୁମର ବାହାଘର ସ୍ୱପ୍ନକୁ ଭାଙ୍ଗିଦେଇଛି ଆଉ ବିବାହ ବାଟରେ ବାଡ ସାଜିଛି । ତେବେ ଯନ୍ତ୍ରଣାର ଜଉ ଘରେ ସୁମିତ୍ରା ଅହରହ ଛଟପଟ ହେଉଥିଲେ ବି ସଙ୍ଘର୍ଷ ଭିତରେ ତାଙ୍କ ପାଟିରୁ ଶବ୍ଦଟିଏ ବି ବାହାରୁନି । କାରଣ ସେ ଶବ୍ଦହୀନ ହୋଇଛନ୍ତି, ସ୍ୱପ୍ନହୀନ ହୋଇଛନ୍ତି… ନିଜ ଦେହ ଭଲ କରିଦେବାକୁ କାଳିଆ ପାଖରେ ହାତ ଟେକି ଦେଇଛନ୍ତି…