ବୁର୍ଲା ମେଡିକାଲ କଲେଜର ୨୨ ଛାତ୍ରଛାତ୍ରୀ କରୋନା ପଜିଟିଭ୍ । ସମସ୍ତ ଆକ୍ରାନ୍ତ ମେଡିକାଲରେ ଚିକିତ୍ସିତ

373

କନକ ବ୍ୟୁରୋ : ବୁର୍ଲା ଭୀମସାରର ୨୨ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତେ ଏମବିବିଏସ ଛାତ୍ରଛାତ୍ରୀ ବୋଲି ଜଣାପଡ଼ିଛି । ତେବେ କରୋନା ପଜିଟିଭି ଚିହ୍ନଟ ହେବା ପରେ ସମସ୍ତଙ୍କୁ ବିଳମ୍ବିତ ରାତ୍ରିରେ କୋଭିଡ ସେଂଟରରେ ଭର୍ତ୍ତି କରାଯାଇଛି । ତେବେ ଏହି ସଂଖ୍ୟା ଆଜି ବଢ଼ିବ ବୋଲି ଅନୁମାନ କରାଯାଉଛି । ଆଜି ଅନ୍ୟ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ କରାଯିବ । କିଛି ଦିନ ପୂର୍ବେ ସମସ୍ତେ କୌଣସି ଏକ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ । ସେଠାରୁ କରୋନା ବ୍ୟାପିଥିବା ଅନୁମାନ କରାଯାଉଛି । ଆଗକୁ ଏମବିବିଏସ ଅଫଲାଇନ ପରୀକ୍ଷା ହେବାର ଥିବା ବେଳେ ତାହା କରାଯିବ କି ନାହିଁ ସନ୍ଦେହ ଉପୁଜୁଛି ।

ଅସୁସ୍ଥ ଅନୁଭବ କରିବା କାରଣରୁ ସୋମବାର ବହୁ ସଂଖ୍ୟାରେ ମେଡିକାଲ୍ ପିଲା ଆଉଟ୍‌ଡୋର୍‌କୁ ଚିକିତ୍ସା ପାଇଁ ଆସିଥିଲେ । ଲକ୍ଷଣ ଦେଖି ଡାକ୍ତରମାନେ ତାଙ୍କୁ ଆଣ୍ଟିଜେନ୍ ପରୀକ୍ଷା କରିବାକୁ କହିଥିଲେ । ପରୀକ୍ଷାରୁ ୨୨ ଜଣ ପଜିଟିଭ୍ ବାହାରିଥିବା ଜଣାପଡ଼ିଛି । ଆହୁରି ଅନେକ ଛାତ୍ରଛାତ୍ରୀ ବି ପଜିଟିଭ୍ ହୋଇଥିବା ଆଶଂକା କରାଯାଉଛି । ତେବେ କର୍ତ୍ତୃପକ୍ଷ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ଏକତ୍ରିତ ହେବାକୁ ‌ଅନୁମତି କିଭଳି ଦେଲେ ତାହା ଏବେ ପ୍ରଶ୍ନବାଚୀ ସୃ‌ଷ୍ଟି କରିଛି । ସମ୍ବଲପୁର ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ଥିଲା ବେଳେ ଏହି ଡାକ୍ତରୀ ଛାତ୍ରଛାତ୍ରୀମାନେ ତୃତୀୟ ଲହରର ଅଗ୍ରଦୂତ ସାଜିବେ ନାହିଁ ‌ତ ବୋଲି ବହୁ ବୁଦ୍ଧିଜୀବୀ ଆଶଂକାବ୍ୟକ୍ତ କରିଛନ୍ତି ।

ଏ ସଂପର୍କରେ ଭିମସାର୍‌ ନିର୍ଦ୍ଦେଶକ ପ୍ର. ଲଳିତ ମେହେରଙ୍କୁ ପଚାରିବାରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ପଜିଟିଭ୍‌ ହୋଇଥିବା କଥା ସ୍ବୀକାର କରିଛନ୍ତି । ବାର୍ଷିକ ଉତ୍ସବରୁ ଏହି ସଂକ୍ରମଣ ବ୍ୟାପିଥିବା ବି ଡା. ମେହେର ମାନିଛନ୍ତି । ତେବେ ପିଲାଙ୍କୁ ଏଥି ପାଇଁ ଅନୁମତି କାହିଁକି ଦିଆଗଲା ବୋଲି ପ୍ରଶ୍ନ କରିବାରୁ ପରିବର୍ତ୍ତିତ ନିୟମାବଳୀରେ ବାର୍ଷିକ ଉତ୍ସବ ପାଇଁ ଅନୁମତି ରହିଥିବା ସେ ପ୍ରକାଶ କରିଥିଲେ । ସେହିପରି ଭିମସାର୍‌ ଅଧୀକ୍ଷକ ପ୍ର. ଲାଲ୍‌ ମୋହନ ନାୟକଙ୍କୁ ପଚାରିବାରୁ ସେ ପଜିଟିଭ୍‌ ଛାତ୍ରଛାତ୍ରୀଙ୍କୁ ଏକାନ୍ତବାସରେ ରଖାଯିବ ବୋଲି କହିଥିଲେ ।