ମହାରାଷ୍ଟ୍ର ନାସିକରେ ଲିକ୍ ହେଲା ଅକ୍ସିଜେନ୍ ଟ୍ୟାଙ୍କର । ହସପିଟାଲରେ ବନ୍ଦ କରିବାକୁ ପଡ଼ିଲା ଅକ୍ସିଜେନ୍ ସପ୍ଲାଏ । ଛଟପଟ ହୋଇ ଚାଲିଗଲା ୨୨ଜଣଙ୍କ ଜୀବନ ।

118

କନକ ବ୍ୟୁରୋ: ଦେଶରେ ଅକ୍ସିଜେନର ଘୋର ଅଭାବ ଦେଖାଦେଇଥିବାବେଳେ ମହାରାଷ୍ଟ୍ରର ନାସିକରୁ ଆସିଛି ଦୁଃଖଦ ଦୁର୍ଘଟଣାର ଖବର । ନାସିକର ଜାକିର ହୁସେନ କୋଭିଡ ହସପିଟାଲରେ ଆଜି ଅକ୍ସିଜେନ ଟ୍ୟାଙ୍କ ଲିକ ହୋଇଥିଲା । ଯାହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୂରା ହସପିଟାଲରେ ଅକ୍ସିଜେନ ସପ୍ଲାଇ ବନ୍ଦ କରିବା ଜରୁରୀ ହୋଇପଡିଥିଲା । କିନ୍ତୁ ଏହି ସମୟରେ ଅନେକ କୋଭିଡ ରୋଗୀଙ୍କ ଅକ୍ସିଜେନ ଲାଗିଥିଲା । ତେଣୁ ଏଭଳି ସମୟରେ ଅନେକ କୋଭିଡ ରୋଗୀଙ୍କୁ ଅନ୍ୟ ହସପିଟାଲକୁ ପଠାଯାଇଥିଲା କିନ୍ତୁ ସମସ୍ତଙ୍କୁ ସିଫ୍ଟ କରାଯାଇପାରିଲା ନାହିଁ । ଆଉ ଅକ୍ସିଜେନ ସପ୍ଲାଇ ପ୍ରାୟ ଅଧଘଂଟା ପାଇଁ ବନ୍ଦ ହେବା ଫଳରେ ଭେଂଟିଲଟେରର ଥିବା ୨୨ ଜଣ ରୋଗୀ ଛଟପଟ ହେବା ଆରମ୍ଭ କରିଦେଲେ ଆଉ କିଛି ସମୟ ପରେ ସେମାନଙ୍କ ଜୀବନ ଚାଲିଯାଇଥଲା ।

ତେବେ ଆଜିର ଏହି ପରିସ୍ଥିତି ଏଭଳି ହୋଇଥିଲା ଯେ, ଡାକ୍ତରଖାନାରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା । ଫାୟାର ବ୍ରିଗେଡର ଟିମ ଘଟଣାସ୍ଥଳରେ ପଂହଚି ଲିକ ହେଉଥିବା ଅକ୍ସିଜେନ ବଲବକୁ ବନ୍ଦ କରିଥିଲେ । ଦୁର୍ଘଟଣା ସମୟରେ ଭେଂଟିଲେଟରରେ ଅନେକ ରୋଗୀ ଥିଲେ । କିଛି ରୋଗୀଙ୍କର ଅବସ୍ଥା ଗୁରୁତର ଥିଲା । ହସପିଟାଲରେ ମୋଟ ୧୭୧ ଜଣ ରୋଗୀଙ୍କ ଚିକିତ୍ସା ଚାଲିଥିଲା । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ନାସିକ ଘଟଣା ନେଇ ନେଇ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଟ୍ୱିଟ କରି ମୃତକଙ୍କ ପରିବାକୁ ସମଦେବନା ଦେବା ସହ କହିଛନ୍ତି, ଏଭଳି ଘଟଣା ହୃଦୟ ବିଦାରକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପ୍ରତି ସେ ସମବେଦନା ଜଣାଇଛନ୍ତି । ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ।