ଫଳାଫଳ ଆସିନି ହେଲେ ବିରୋଧୀଙ୍କୁ ଘାରିଲାଣି ଇଭିଏମ୍ ଭୟ । ନିର୍ବାଚନ କମିଶନଙ୍କୁ ଭେଟିଲେ ବିରୋଧୀ ମେଣ୍ଟର ୨୨ ଦଳର ପ୍ରତିନିଧୀ

ଦାବି କଲେ, ଭୋଟ୍ ଗଣତି ପୂର୍ବରୁ କରାଯାଉ ଭିଭିପାଟ୍ ସ୍ଲିପ୍ ଯାଂଚ୍;ସେପଟେ ସରକାର ଗଠନ ନେଇ କସରତ ଆରମ୍ଭ କଲା ଏନଡିଏ

275

କନକ ବ୍ୟୁରୋ: ନିର୍ବାଚନ ଫଳାଫଳ ଆସିନି ହେଲେ ବିରୋଧୀଙ୍କୁ ଘାରିଲାଣି ଇଭିଏମ୍ ଭୟ । ଦିଲ୍ଲୀରେ ମେଳି ବାନ୍ଧିଲେଣି ନେତା । କଂଗ୍ରେସ, ଏସପି, ବିଏସପି ଏବଂ ଟିଡିପି ସମେତ ୨୨ଟି ରାଜନୈତିକ ଦଳ ଆଜି ଏକାଠି ହୋଇ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି । ପ୍ରସଙ୍ଗ ହେଉଛି ଇଭିଏମ୍ । ଗଣତି ସମୟରେ ଭିଭିପାଟ୍ ସ୍ଲିପ୍କୁ ଶତପ୍ରତିଶତ ଇଭିଏମ୍ ସହିତ ମେଳ ଖୁଆଇବାକୁ ଦାବି କରିଛନ୍ତି ବିରୋଧୀ । ଗଣତି ବେଳେ କୌଣସି ବି ପୁଲିଂ ବୁଥର ଇଭିଏମ ଓ ଏହାର ଭିଭିପାଟ୍କୁ ମେଳ ଖୁଆଇବାକୁ ବିରୋଧୀ ଦାବି କରିଛନ୍ତି ।

ଏତିକି ବେଳେ ଯଦି କୌଣସି ବି ତ୍ରୁଟି ଦେଖାଗଲା ତେବେ ସେହି ନିର୍ବାଚମଣ୍ଡଳିର ସମସ୍ତ ଇଭିଏମକୁ ଭିଭିପାଟ୍ ସହିତ ମେଳ ଖୁଆଇବାକୁ ଏକାଠି ଦାବି କରିଛନ୍ତି ବିରୋଧୀ । ଆଜି ନୂଆଦିଲ୍ଲୀରେ କନଷ୍ଟିଚୁସନ୍ କ୍ଲବରେ ପ୍ରଥମେ ବିରୋଧୀ ଏକାଠି ହେବା ପରେ ନିର୍ବାଚନ କମିଶନଙ୍କୁ ଭେଟିବାକୁ ଯାଇଥିଲେ । ପୂର୍ବରୁ ଏହି ସମ୍ପର୍କିତ ଏକ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇସାରିଛି । ଏଥିରେ ହସ୍ତକ୍ଷେପ କରିବେନି ବୋଲି ସର୍ବୋଚ୍ଚ ଅଦାଲତ କହିସାରିଛନ୍ତି । ସେପଟେ ନିର୍ବାଚନ କମିଶନ ମଧ୍ୟ ବିରୋଧୀ ଆଣିଥିବା ଇଭିଏମ୍ ଟାମ୍ପରିଂ ଅଭିଯୋଗକୁ ଭିର୍ତ୍ତିହୀନ ବୋଲି କହି ଖଣ୍ଡନ କରିଛନ୍ତି ।

ଏପଟେ ଆଜି ଏନଡିଏ ଦିଲ୍ଲୀରେ ବୈଠକ କରୁଛି । ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଚାଲିଛି ଏହି ବୈଠକ । ସମସ୍ତ କେନ୍ଦ୍ରମନ୍ତ୍ରୀଙ୍କ ସହିତ ବୈଠକ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ସହିତ ଏନଡିଏରେ ଥିବା ସମସ୍ତ ସହଯୋଗୀ ଦଳ ଗୁଡିକ ସହିତ ମଧ୍ୟ ଆଲୋଚନା କରିବେ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଉଭୟ ବୈଠକରେ ପ୍ରଧାନମନ୍ତ୍ରୀ କିନ୍ତୁ ଉପସ୍ଥିତ ରହିବେ ।

ଗୋଟିଏ ପଟେ ଏକଜିଟ୍ ପୋଲ ସର୍ଭେ ରିପୋର୍ଟରେ ଚଳିତ ନିର୍ବାଚନରେ ଏନଡିଏକୁ ବହୁମତ ମିଳିବା ନେଇ ଅନେକ ସଂସ୍ଥା ରିପୋର୍ଟ ଦେବା ପରେ ଏନଡିଏ ମଧ୍ୟରେ ଜୋସ୍ ବଢିଯାଇଛି । ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ବୋଲି ଏନଡିଏ ଆଶାବାଦୀ ରହିଛି । ଏହାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ରମନ୍ତ୍ରୀଙ୍କ ସହିତ ବୈଠକ ଓ ଏନଡିଏ ସହଯୋଗୀ ଦଳଙ୍କ ସହିତ ଆଲୋଚନା ପରେ ନୈଶ ଭୋଜିକୁ ନେଇ ରାଜନୈତିକ ଚର୍ଚା ବି ହେଉଛି । ଇଭିଏମକୁ ନେଇ ୟୁପିଏ ୨୧ ବିରୋଧୀ ଦଳଙ୍କୁ ଏକାଠି କରି ନିର୍ବାଚନ କମିଶନଙ୍କୁ ଭେଟିଥିବା ବେଳେ , ଏନଡିଏ ଏହାର ସହଯୋଗୀଙ୍କୁ ଏକାଠି କରିବାକୁ ଏହି ଉଦ୍ୟମ କରୁଛି ବୋଲି କୁହାଯାଉଛି ।