ରତ୍ନଭଣ୍ଡାରକୁ ନେଇ ଆସିଲା ବଡ ଖବର । ରତ୍ନଭଣ୍ଡାର ଚାବି ଖୋଜିବାକୁ ଖର୍ଚ୍ଚ ହୋଇଛି ୨୨ ଲକ୍ଷ, ସ୍ପଷ୍ଟ କଲେ ସରକାର ।

370

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ଖୋଜିବାକୁ ଖର୍ଚ୍ଚ ହୋଇଛି ୨୨ ଲକ୍ଷ ୨୭ ହଜାର ୯୧୮ ଟଙ୍କା । ୨୦୧୦ ମସିହାରୁ ରାଜ୍ୟ ସରକାର କେତୋଟି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଓ ତାର ସ୍ଥିତି କଣ । ଏହି ମର୍ମରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପଚାରିଥିବା ପ୍ରଶ୍ନରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ଉତର ରଖିଛନ୍ତି ।

ଗୃହରେ ରଖାଯାଇଥିବା ଉତରରେ କୁହାଯାଇଛି, ଜଗନ୍ନାଥ ମନ୍ଦିରର ଭିତର ରତ୍ନଭଣ୍ଡାର ଚାବି ଖୋଜିବାକୁ ପ୍ରଥମେ ୩ ମାସ ପାଇଁ କମିଶନ ବସାଯାଇଥିଲା । ଆଉ ପରେ କମିଶନଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି କରାଯାଇଥିଲା । ଏହି ଅବଧି ଭିତରେ କମିଶନ ତଦନ୍ତ ସାରି ସରକାରଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରି ସାରିଛନ୍ତି । ହେଲେ ଏହି ରିପୋର୍ଟକୁ ରାଜ୍ୟ ସରକାର ଅନୁଧ୍ୟାନ କହୁଥିବା ମନ୍ତ୍ରୀ ତାଙ୍କ ଲିଖିତ ଉତରରେ ଦର୍ଶାଇଛନ୍ତି ।

ବଡ କଥା ହେଉଛି, ରତ୍ନଭଣ୍ଡାରର ଚାବି ହଜିବାକୁ ନେଇ ହଟଚମଟ ହେବା ପରେ ଜଷ୍ଟିସ ରଘୁବୀର ଦାସଙ୍କ ଅଧୀନରେ କମିଶନ ଗଠନ ହୋଇଥିଲା । ଜୁନ ୪ ତାରିଖରେ  ତଦନ୍ତ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କମିଶନଙ୍କ ପାଇଁ ନିର୍ଦ୍ଧାରଣ ହୋଇଥିବା ଟର୍ମସ ଅଫ ରେଫରେନସରେ ଉଲ୍ଲେଖ ଥିଲା, ରତ୍ନଭଣ୍ଡାରର ଚାବି କିଭଳି ଆଉ କେଉଁ ପରିସ୍ଥିତିରେ ହଜିଥିଲା, ଏଥିରେ କାହାର କଣ ଭୂମିକା ରହିଛି ଓ କିଏ ଉତରଦାୟୀ, ଏହି ଘଟଣାକୁ ନେଇ ଆଉ କିଛି ଦିଗ ଯଦି ରହିଛି, ଏସବୁକୁ ନେଇ କମିଶନ ତଦନ୍ତ କରିବାକୁ କୁହାଯାଇଥିଲା ।

ସମସ୍ତ ଦିଗକୁ ଅନୁଧ୍ୟାନ କରି କମିଶନ ତାଙ୍କ ରିପୋର୍ଟ ଦେଇ ସାରିଥିଲେ ମଧ୍ୟ ସରକାର ଏହା ଉପରେ କୈାଣସି ଆଭିମୁଖ୍ୟ ଗ୍ରହଣ କରିନାହାନ୍ତି । କାହିଁକି ଓ କିଏ ହଜାଇଥିଲା ରତ୍ନଭଣ୍ଡାର ଚାବି, ତାହା ଆଜି ସ୍ପଷ୍ଟ ହୋଇନାହିଁ । ହେଲେ ସେହି ସମୟରେ ଘଟିଥିବା ତମାମ ଘଟଣା ବେଶ ଚାଞ୍ଚଲ୍ୟକର ଥିଲା ।

ratnaଏପ୍ରିଲ ୪, ୨୦୧୮ରେ ମନ୍ଦିରର ପରିଚାଳନା କମିଟି ବୈଠକରେ ପ୍ରଥମେ ଏହି ଘଟଣା ସାମ୍ନାକୁ ଆସିଲା ଯେତେବେଳେ ଭିତର ରତ୍ନଭଣ୍ଡାରର ଚାବି ହଜିଥିବା କଥା ତକ୍ରାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ବୈଠକରେ ଜଣାଇଥିଲେ । ବାରମ୍ବାର ଖୋଜିବା ସତ୍ୱେ ମଧ୍ୟ ଚାବି ମିଳୁନଥିବା ସେ ବୈଠକରେ ଉଲ୍ଲେଖ କରିଥିଲେ । ଆଉ ଏହି ବିବରଣୀ ଗଣମାଧ୍ୟମରେ ଆସିବା ପରେ ବିବାଦ ଆଗକୁ ବଢିଥିଲା । ତେବେ ଏହାର ପାଖାପାଖି ୨ ମାସ ପରେ ଜିଲ୍ଲାର ରେକର୍ଡ ରୁମରେ ଥିବା ଷ୍ଟ୍ରଙ୍ଗ ବକ୍ସରୁ କିଛି ଚାବି ଥିବା ଏକ ଗୁନ୍ଥା ପାଇଥିଲା । ସେହି ସମୟରେ ତକ୍ରାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଥିଲେ, ଚାବି ଗୁଡିକ ଏକ ବନ୍ଦ ଥିବା ଲଫାପାରୁ ମିଳିଥିଲା । ଆଉ ସେହି ଭିତରେ ଏକ ଚାବିରେ ରତ୍ନଭଣ୍ଡାରର ଡୁପ୍ଲିକେଟ ଟ୍ୟାଗ ଲାଗିଥିବା ଏକ ଚାବି ରହିଥିବା ଦେଖିବାକୁ ମିଳିଥିଲା ।

୧୯୮୫ ମସିହାରେ ବଳଭଦ୍ରଙ୍କର ଅଳଙ୍କାର ପାଇଁ ଶେଷ ଥର ପାଇଁ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା । ଆଉ ସେବେଠାରୁ ପୁରୀର ଅନେକ ଜିଲ୍ଲାପାଳ ବଦଳିଥିଲେ ମଧ୍ୟ ସେମାନେ ଏଦିଗ ପ୍ରତି ବିଶେଷ ଧ୍ୟାନ ଦେଇନଥିଲେ । ଜିଲ୍ଲା ଟ୍ରେଜେରୀରେ ରହିବାକୁ ଥିବା ଏହି ଚାବି ପ୍ରତି କୌଣସି ବି ଜିଲ୍ଲାପାଳ ଧ୍ୟାନ ଦେଇନଥିବା ସେହି ସମୟରେ ଅଭିଯୋଗ ହୋଇଥିଲା । ତେବେ ସମସ୍ତ ଦିଗକୁ ଅନୁଧ୍ୟାନ କରି କଣ ରିପୋର୍ଟ ଦେଇଛନ୍ତି କମିଶନ, ତାହା ଏବେବି ଅନ୍ଧାର ଭିତରେ ରହିଛି ।