ଜଙ୍ଗଲରେ ସୁରକ୍ଷିତ ନୁହଁନ୍ତି ହାତୀ । ୩ ବର୍ଷରେ କେନ୍ଦୁଝରରେ ମରିଛନ୍ତି ୨୨ ହାତୀ । ବିଭାଗ ପାଖରେ ବିଳମ୍ବରେ ପହଞ୍ଚୁଛି ହାତୀ ମୃତ୍ୟୁ ଖବର

84

କନକ ବ୍ୟୁରୋ: ରାଜ୍ୟକୁ ସର୍ବାଧିକ ରାଜସ୍ୱ ଦେଉଥିବା କେନ୍ଦୁଝରରେ ସୁରକ୍ଷିତ ନୁହଁନ୍ତି ହାତୀ । କ୍ରମବର୍ଦ୍ଧିଷ୍ଣୁ ଖଣି ଖନନ ପାଇଁ ବିପଦ ମୁହଁରେ ହାତୀ । ଡିଏଫଓ ଡି. ଧନରାଜଙ୍କ ସୂଚନା ଅନୁସାରେ ବିଭିନ୍ନ କାରଣ ପାଇଁ ଗତ ୩ ବର୍ଷରେ ୨୨ଟି ହାତୀଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ୍ ସଂସ୍ପର୍ଶ, ସଡକ ଦୁର୍ଘଟଣା ଓ ରେଳ ଦୁର୍ଘଟଣା ହାତୀ ମୃତ୍ୟୁର ପ୍ରମୁଖ କାରଣ ବୋଲି ଜଣାପଡିଛି । ତେବେ ଏବେ କେନ୍ଦୁଝରରେ ମୋଟ ୧୩୫ଟି ହାତୀ ଅଛନ୍ତି । ତା ଭିତରୁ ୨୮ଟି ଦନ୍ତା, ୫୮ଟି ମାଈ ହାତୀ, ୪୭ଟି ଛୁଆ ଓ ୨ଟି ବୟସ୍କ ହାତୀ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

  • ଖଣି ଅଞ୍ଚଳରେ ଅସୁରିକ୍ଷତ ଗଜାନନ
  • ଖଣି ଖନନ ହାତୀଙ୍କ ପାଇଁ ବିପଦ!
  • ୩ ବର୍ଷରେ ମଲେଣି ୨୨ ହାତୀ
  • ହାତୀ ମୃତ୍ୟୁ ନେଇ ବିଳମ୍ବରେ ଜାଣୁଛି ବିଭାଗ

ତେବେ ହାତୀଙ୍କ ଜୀବନ ବିପଦରେ ପଡିଥିବା ବେଳେ ଏହାର ନିରାକରଣ ପାଇଁ ପଦକ୍ଷେପ ନିଆଯାଉଛି । ରେଳ ପଥରେ ଆଲୋକିକରଣ. ଅଣ୍ଡର ପାସ, ରାମ୍ପ, ଟ୍ରେନ୍ ଲୋକ ପାଇଲଟଙ୍କୁ ହାତୀ ସୁରକ୍ଷା ପାଇଁ ଟ୍ରେନିଂ ଦିଆଯାଉଛି । ଝୁଲନ୍ତା ଅବସ୍ଥାରେ ଥିବା ବିଦ୍ୟୁତ ତାରକୁ ମାଟି ତଳେ ନିଆଯାଉଛି । ବନାଞ୍ଚଳରେ ଥିବା ଖଣି ଅଞ୍ଚଳରେ ୱାଇଲ୍ଡ ଲାଇଫ୍ ପ୍ଲାନ କରାଯାଇଛି । ଅବାଧ ଶିକାର ରୋକିବା ପାଇଁ ରାଜ୍ୟରେ ଏନଫୋର୍ସ ମେଣ୍ଟ ସ୍କ୍ୱାର୍ଡ ଗଠନ କରାଯାଇଛି । ବ୍ୟାଘ୍ର ସଂରକ୍ଷଣ ପରି ଜିଲ୍ଲାରେ ଏକ ହାତୀ ସଂରକ୍ଷଣ କରାଯାଉନାହିଁ । ବୈତରଣୀ ହାତୀ କରିଡ଼ର ଚିହ୍ନଟ ହୋଇଥିଲେ ହେଁ, ଏପର୍ଯ୍ୟନ୍ତ ମାନ୍ୟତା ଦିଆଯାଇନାହିଁ । ତେଣୁ ବିଶ୍ୱର ବିରାଟକାୟ ଜୀବ ହାତୀ ଏବେ ବାସହରା, ଖାଦ୍ୟହରା ହୋଇ ଇତସ୍ତତଃ ।

ଅତୀତରେ ହାତୀପଲ ସରଣ୍ଡା ସଂରକ୍ଷିତ ଜଙ୍ଗଲରୁ ଶିମିଳିପାଳ, ସାତକୋଶିଆ ଅଭୟାରଣ୍ୟକୁ ଚଳପ୍ରଚଳ କରିଥାନ୍ତି । ତେଣୁ କେନ୍ଦୁଝର ଜଲ୍ଲାରେ ହାତୀ ସଂରକ୍ଷଣ କରିବାକୁ ଦାବି ହେଉଛି ।