ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ ମାସରେ ଆଖି ବୁଜିଛନ୍ତି ୨୧୭୬ ଜଣ ନବଜାତ ଶିଶୁ । ବିଧାନସଭାରେ ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

564

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ଫୋକସରେ ସ୍ୱାସ୍ଥ୍ୟସେବା । ଯେଉଁଥିପାଇଁ ୫ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରି ସ୍ୱାସ୍ଥ୍ୟସେବାର ସ୍ଥିତି ପରଖୁଛନ୍ତି । ସାଧାରଣ ଲୋକଙ୍କ କିଭଳି ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯିବ ତାହା ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଏହାସତ୍ତେ୍ୱ ମଧ୍ୟ ରାଜ୍ୟରେ ବଢି ଚାଲିଛି ନବଜାତ ଶିଶୁ ମୃତ୍ୟୁହାର । ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ ମାସରେ ଜନ୍ମରୁ ୪ ସପ୍ତାହ ମଧ୍ୟରେ ୨୧୭୬ ଜଣ ନବଜାତ ଶିଶୁ ମୃତ୍ୟୁ ବରଣ କରିଛନ୍ତି । ଏହାମଧ୍ୟରୁ ୬୮୨ ଜଣ କେ.ବି.କେ ଜିଲ୍ଲାର । ଯାହା ନବଜାତକ ମୃତ୍ୟୁର ପ୍ରାୟ ୩୧ ପ୍ରତିଶତ ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ । ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଏଭଳି ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

ବିଧାନସଭାର ୫ମ କାର୍ଯ୍ୟଦିବସରେ ରାଜ୍ୟରେ ନବଜାତକ ଶିଶୁଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ କରିଥିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଏହାଛଡା ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସରକାର ବାର୍ଷିକ କେତେ ଟଙ୍କା ବ୍ୟୟ କରୁଛନ୍ତି ଓ ଏହା ଗର୍ଭବତୀଙ୍କ ସୁରକ୍ଷା ପାଇଁ ଯଥେଷ୍ଟ କି ବୋଲି ପ୍ରଶ୍ନ କରିଥିଲେ । ଏପରିକି ଶିଶୁ ମୃତ୍ୟୁହାର ରୋକିବା ପାଇଁ ସରକାରଙ୍କ ତ୍ୱରିତ ଯୋଜନା କଣ ବୋଲି ମନ୍ତ୍ରୀଙ୍କ ଠାରୁ ଉତ୍ତର ଜାଣିବାକୁ ଚାହିଁଥିଲେ ସୌମ୍ୟ ।

ଆଉ ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଚଳିତ ବର୍ଷ ଏନଏଚଏମ-ପିଆଇପିରେ ୩୩୭୩୬.୧୧ ଲକ୍ଷ ଓ ସମ୍ପୂର୍ଣ୍ଣା କାର୍ଯ୍ୟକ୍ରମରେ ୫୭୮୩.୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ବ୍ୟୟ ଅଟକଳ କରାଯାଇଛି । ଏହାଛଡା ଶିଶୁ ମାନଙ୍କ ମୃତ୍ୟୁହାର ରୋକିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।