ଓଡ଼ିଶା ଫେରିଲେ ପ୍ରବାସୀ ଓଡ଼ିଆ । ସୁରତରୁ ଆସିଥିବା ଓଡ଼ିଆଙ୍କୁ କ୍ୱାରେଣ୍ଟାଇନରେ ରଖିଲା ପ୍ରଶାସନ, ସଙ୍ଗରୋଧରେ ରହିବେ ୧୪ ଦିନ?

736

କନକ ବ୍ୟୁରୋ : ଗୁଜରାଟର ସୁରତରୁ ପ୍ରବାସୀ ଓଡିଆଙ୍କ ଘର ବାହୁଡା ଆରମ୍ଭ ହୋଇଯାଇଛି । ବୁଧବାର ବିଳମ୍ବିତ ରାତିରେ ସୁରତର ଓଡିଆଙ୍କୁ ନେଇ ୪ଟି ବସ ଗଂଜାମ ଜିଲ୍ଲାରେ ପହଁଚିଛି । ତେବେ ପୂର୍ବରୁ ନିଆଯାଇଥିବା ନିଷ୍ପତି ଅନୁସାରେ ୨ଟି ବସ୍ ଶେରଗଡ଼ ଓ ୨ଟି ବସ୍ ଧରାକୋଟ ପହଁଚିବା ପରେ ଯାତ୍ରୀମାନଙ୍କୁ ସ୍କ୍ରିନିଂ କରାଯାଇଥିଲା ।

ଗୁଜରାଟର ସୁରତରୁ ୨୧୭ ଜଣ ଓଡ଼ିଆଙ୍କୁ ନେଇ ବୁଧବାର ବିଳମ୍ବିତ ରାତିରେ ଗଂଜାମ ଜିଲ୍ଲାରେ ପହଁଚିଛି ୪ଟି ବସ୍ । ପୂର୍ବରୁ ନିଆଯାଇଥିବା ନିଷ୍ପତି ଅନୁସାରେ ୨ଟି ବସ୍ ଶେରଗଡ଼ ଓ ୨ଟି ବସ୍ ଧରାକୋଟ ପହଁଚିବା ପରେ ଯାତ୍ରୀମାନଙ୍କୁ ସ୍କ୍ରନିଂ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ପ୍ରାୟ ୧୫ ଜଣଙ୍କୁ ହସପିଟାଲ ନିଆଯାଇ ଯାଂଚ କରାଯାଇଥିଲା । ଏହାପରେ ଧରାକୋଟ ଓ ଶେରଗଡ ଆଦର୍ଶ ବିଦ୍ୟାଳୟ ପରିସରରେ ସମସ୍ତ ଯାତ୍ରୀଙ୍କୁ ସଂଗରୋଧରେ ରଖିଛି ଜିଲ୍ଲା ପ୍ରଶାସନ । ସମସ୍ତଙ୍କୁ ୧୪ ଦିନ ପାଇଁ ସଂଗରୋଧରେ ରଖାଯିବ । ପ୍ରବାସୀ ଓଡିଆଙ୍କ ରହିବା ଖାଇବା ଠାରୁ ନେଇ ସମସ୍ତ ବ୍ୟବସ୍ଥା ସରକାରଙ୍କ ନିୟମ ମୁତାବକ କରାଯାଇଛି । କ୍ୱାରେଂଟିନ୍ ସ୍ଥଳକୁ କାହାକୁ ଛଡ଼ା ଯାଉନଥିବା ବେଳେ ୧୪୪ ଧାରା ଜାରି କରିଛି ପ୍ରଶାସନ ।

ସୁରତ ଫେରନ୍ତାଙ୍କୁ ନିଜ ବ୍ୟବହାର୍ଯ୍ୟ ସାମଗ୍ରୀର ଏକ କିଟ୍ ଦିଆଯାଇଛି । ସରକାରଙ୍କ ନିୟମ ମୁତାବକ ଖାଦ୍ୟପେୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ସଙ୍ଗରୋଧରେ ରହିଥିବାରୁ ପ୍ରବାସୀ ଓଡ଼ିଆ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିଜ ପଂଚାୟତରେ ରହିବାକୁ ଦାବି ଜଣାଇଛନ୍ତି ।

ସେପଟେ କେନ୍ଦ୍ରାପଡ଼ା ଓ ଯାଜପୁରର ଶ୍ରମିକମାନେ ମଧ୍ୟ ସୁରତ ଛାଡିଛନ୍ତି । ବସ ଯୋଗେ ପୁଣି ଓଡିଶା ଅଭିମୁଖେ ବାହାରିଛନ୍ତି । ବୁଧବାର ରାତିରୁ ଗୋଟିଏ ବସରେ ଯାଜପୁର ଓ ଭଦ୍ରକ ଅଂଚଳର ଲୋକ ଘରକୁ ଫେରୁଛନ୍ତି । ଭଦ୍ରକ ତିହିଡି ଓ ଚାନ୍ଦବାଲି ବ୍ଲକର ୨୧ ଜଣ ଓ ଧାମନଗର, ଧୁଷୁରୀ, ବନ୍ତ, ସାବରଙ୍ଗ, ବାଣିତିଆ ଅଂଚଳର ୨୪ ଜଣ ଅଛନ୍ତି ଏହି ବସରେ । ସେହିପରି ଗୁରୁବାର ଦିନ ମଧ୍ୟ ସୁରତରୁ ଆଉ ୪ଟି ବସ୍ ବାହାରିଛି । ସମସ୍ତ ଯାତ୍ରୀ ଗଂଜାମ ଜିଲ୍ଲାର ବୋଲି ସୂଚନା ମିଳିଛି ।