ପାଣି କିଣିବା ପାଇଁ ପାଖରେ ନଥିଲା ଟଙ୍କା, ଏକାକୀ କୂଅ ଖୋଳି ଲୋକଙ୍କ ପାଇଁ ବୃଦ୍ଧ ପାଲଟିଲେ ଭଗବାନ ।

68

ଆପଣଙ୍କ ମନେଥିବ ଜଣେ ବୃଦ୍ଧ ନିଜର ଅଦମ୍ୟ ଇଚ୍ଛାଶକ୍ତି ଆଗରେ ବାର୍ଦ୍ଧକ୍ୟର ଛାପକୁ ମଧ୍ୟ ନିଜ ବାଟରେ ଆସିବାକୁ ଦେଇନଥିଲେ । ଏକାକୀ ପାହାଡ କାଟି ଗ୍ରାମବାସୀଙ୍କ ପାଇଁ ରାସ୍ତା ପ୍ରସ୍ତୁତ କରିଥିଲେ । ଦଶରଥ ମାଞ୍ଝି ଯାହାଙ୍କ ନାଁ । କ’ଣ କିଛି ମନେ ପଡିଲା । ହେଲେ ଆମେ ଏଠାରେ ଆପଣଙ୍କୁ ଦଶରଥ ମାଞ୍ଝିଙ୍କ ନୁହଁ ବରଂ ୭୦ ବର୍ଷୀୟ ସୀତାରାମ ଲୋଢୀଙ୍କ କଥା କହିବାକୁ ଯାଉଛୁ । ବୁନ୍ଦେଲଖଣ୍ଡ ଅଞ୍ଚଳର ଛତରପୁର ଜିଲ୍ଲାରେ ରହୁଥିବା ସୀତାରାମ ଏକାକୀ ନିଜ ଗାଁରେ କୂଅ ଖୋଳି ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏହି ଅଞ୍ଚଳରେ ପାଣିର ଘୋର ଅଭାବ ଦେଖାଯାଏ ଯାହାଦ୍ୱାରା ଲୋକଙ୍କୁ ଗାଁ ଛାଡି ଅନ୍ୟତ୍ର ଯିବାକୁ ପଡିଥାଏ । ପାଣି କଷ୍ଟକୁ ସହ୍ୟ ନକରି ପାରି ପଶୁପକ୍ଷୀଙ୍କ ମୃତ୍ୟୁ ସେଠାକାର ଅନ୍ୟ ଏକ ସମସ୍ୟା ହୋଇପଡିଥିଲା । ଏଭଳି ପରିସ୍ଥିତିରେ ପ୍ରଶାସନଠାରୁ ବହୁ ଦୂରରେ ରହୁଥିବା ଏହି ଗାଁର ସୀତାରାମ ନିଜେ ଏହି ସମସ୍ୟାର ସମାଧାନ ପାଇଁ ବାଟ ଖୋଜିଲେ । ହାତରେ କୋଡି ଏବଂ ଫାଉଡା ଧରି ବାହାରି ପଡିଲେ ପାଣିର ସମସ୍ୟାକୁ ଦୂରେଇବା ପାଇଁ । ୩୩ ଫୁଟର କୂଅ ଖୋଳିଲା ପରେ ସେ ନିଜ ଲକ୍ଷ୍ୟରେ ଯାଇ ପହଞ୍ଚିଥିଲେ । ୨୦୧୫ ମସିହାରେ ସେ କୂଅ ଖୋଳିବା ଆରମ୍ଭ କରିଥିଲେ । ଯେଭଳି ଦଶରଥ ମାଞ୍ଝିଙ୍କୁ ପାହାଡ ଭାଙ୍ଗୁଥିବାର ଦେଖି ଲୋକ ତାଙ୍କୁ ପାଗଳ ଭାବୁଥିଲେ ସୀତାରାମଙ୍କୁ ମଧ୍ୟ ଲୋକମାନେ ଠିକ୍ ସେହିଭଳି ପାଗଳ ଭାବିବା ଆରମ୍ଭ କରିଦେଇଥିଲେ । କିନ୍ତୁ କୂଅରୁ ପାଣି ବାହାରିବା ପରେ ଲୋକ ତାଙ୍କୁ ଅବତାରୀ ପୁରୁଷ କହୁଛନ୍ତି ।