କନକ ବ୍ୟୁରୋ : ୧୯୯୯ ମହାବାତ୍ୟାକୁ ପୁରିଛି ୨୧ ବର୍ଷ । ପ୍ରକୃତିର ତାଣ୍ଡବ କେତେ ଭୟଙ୍କର ହୋଇପାରେ , ୧୯୯୯ ଅକ୍ଟୋବର ୨୯ ତାରିଖ ହେଉଛି ଏହାର ଉଦାହରଣ । ମହାବାତ୍ୟାର କରାଳ ରୂପକୁ ଯିଏ ଅଙ୍ଗେ ନିଭେଇଛି ସେ କଳାରାତ୍ରିର ଅନୁଭୂତିକୁ ଅନୁଭବ କରିଛି । ସେହି ଯନ୍ତ୍ରଣା ଓ ସେହି କାହାଣୀ ଏବେ ମନେମପଡିଲେ ମନ ଶିହରିଉଠେ । ଦିନ ଯାଇଛି ହେଲେ ଚିହ୍ନ ରହିଛି । ଲୋକେ ପୁରୁଣା କଥାକୁ ମନେ ପକାଇ ଏବେ ବି କୋହ ସମ୍ଭାଳିପାରୁନାହାନ୍ତି । ମହାବାତ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଏରସମା ବ୍ଲକର କାଙ୍କଣ ଗାଁ ।
ଏହି ଗାଁରେ ୩ ଶହରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ୨୧ ବର୍ଷ ପରେ ବି ଗାଁରେ କୌଣସି ଉନ୍ନତି ହୋଇନାହିଁ । ୨୦ ବର୍ଷ ତଳେ ଯେଉଁ ଚାଳଘର ଥିଲା ଏବେ ବି ସେହି ଚାଳଘର । ଗାଁକୁ ଭଲ ରାସ୍ତା ନାହିଁ କି ପାଣିନାହିଁ । ବିଦ୍ୟୁତ ସଂଯୋଗ ଥିଲେ ବି ଅଧିକାଂଶ ସମୟରେ ବିଜୁଳି ଗାଏବ । ମହାବାତ୍ୟାର ସେହି କରାଳ ରୂପକୁ ଦେଖିଛନ୍ତି ଏରସମା ବ୍ଲକର କାଙ୍କଣ ଗାଁର ଲୋକେ । ଏବେ ବି ସେହି କଥାକୁ ମନେ ପକାଇ ଅନୁଭୂତି ବଖାଣୁନଛନ୍ତି ଗାଁ ଲୋକେ ।