କନକ ବ୍ୟୁରୋ : ୧୯୯୯ ମହାବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ଜଗତସିଂହପୁର ଜିଲ୍ଲାର ଏରସମାର ସ୍ଥିତି ଧୀରେଧୀରେ ସୁଧୁରିବାରେ ଲାଗିଛି । ମାତ୍ର ଏହି ମହାବାତ୍ୟା ଦିନ ଜନ୍ମ ନେଇଥିବା ଦୁଇ ଶିଶୁ ଏବେ ୨୧ ବର୍ଷ ପରେ ବି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ଏରସମା ବ୍ଲକ୍ ହାତିଆପାଳ ଗାଁରେ ଅକ୍ଟୋବର ୨୮ରେ ଜନ୍ମ ହୋଇଥିବା ପ୍ରଳୟ ଏବେ ପେଟ ପାଇଁ ଟ୍ରକ୍ ହେଲପର ଭାବେ କାର୍ଯ୍ୟ କରୁଥିବାବେଳେ ପୂର୍ବପଡ଼ା ଗାଁର ବନ୍ୟା ବହୁ କଷ୍ଟରେ ବିବାହ କରିଛି । ଆଉ ୨୧ ବର୍ଷ ହେଲା ଗଡ଼ବିଷ୍ଣୁପୁର ଗାଁର ସୁଲୋଚନା ବେହେରା ଏବେ ବି ମହାବାତ୍ୟା ସହାୟତା ଅପେକ୍ଷାରେ ରହିଛନ୍ତି ।
ଏରସମାରେ ଯେତେବେଳେ ମହାବାତ୍ୟା ତାଣ୍ତବ ରଚୁଥିଲା, ସେତେବେଳେ ହାତିଆପାଳ ଗାଁର ବାବୁଲି ଭୂୟାଁଙ୍କ ପତ୍ନୀ କୁନିଲତା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ମହାବାତ୍ୟାର କରାଳ ରୂପକୁ ଦୃଷ୍ଟିରେ ରଖି ପୁଅର ନାଁ ରହିଥିଲା ପ୍ରଳୟ । ଏହି ଗାଁର ୨୫୦ରୁ ଅଧିକ ଲୋକଙ୍କୁ ସମୁଦ୍ର ଜୁଆର ଭସାଇ ନେଇଥିଲା ବେଳେ ପ୍ରଳୟଙ୍କ ପରିବାର କିନ୍ତୁ ବର୍ତ୍ତି ଯାଇଥିଲେ । ମହାବାତ୍ୟା ହାବୁଡ଼ରୁ ପ୍ରାଣରକ୍ଷା କରି ପାରିଥିଲେ ହେଁ ବର୍ତମାନର ଜୀବନଜୀବିକା ସଂଘର୍ଷ ଏହାଠାରୁ ବଡ଼ ବିପଦ ଭଳି ଲାଗୁଛି ବୋଲି କହିଛନ୍ତି ପ୍ରଳୟ । ତାଙ୍କ କହିବା ଅନୁଯାୟୀ, ସେତେବେଳେ ମହାବାତ୍ୟା କବଳରୁ ବଞ୍ଚି ଯାଇଥିବାରୁ ନିଜକୁ ଭାଗ୍ୟବାନ ବୋଲି ପରିବାର ଲୋକ ମନେ କରୁଥିଲୁ । ମାତ୍ର ଏବେ ପେଟ ପୋଷିବା ପାଇଁ ପ୍ରତ୍ୟେକ ଦିନ ସଂଘର୍ଷ କରିବାକୁ ପଡ଼ୁଛି। ବାଧ୍ୟହୋଇ ସେ ଏକ ଟ୍ରକ୍ରେ ହେଲପର ଭାବେ କାର୍ଯ୍ୟ କରୁଛନ୍ତି। ଏବେ ବି ହାତିଆପାଳ ଗ୍ରାମବାସୀ ମୌଳିକ ସେବାରୁ ବଞ୍ଚିତ ଅଛନ୍ତି। ଗାଁକୁ ଭଲ ରାସ୍ତା ଖଣ୍ତିଏ ନ ଥିବାବେଳେ ପିଇବା ପାଣିର ମଧ୍ୟ ସମସ୍ୟା ରହିଛି। କେବଳ ପ୍ରଳୟ ନୁହନ୍ତି, ମହାବାତ୍ୟାରୁ ଜୀବନକୁ କୌଣସିମତେ ବଞ୍ଚାଇ ପାରିଥିବା ଶତାଧିକ ଲୋକ ପେଟ ଚାଖଣ୍ତକ ପାଇଁ ଏବେ ସଂଘର୍ଷ କରୁଛନ୍ତି।
ସେହିପରି ପୂର୍ବପଡ଼ା ଗାଁରେ ଏହି ସମୟରେ ଝାଡ଼ୁ ବ୍ରହ୍ମାଙ୍କ ପତ୍ନୀ ରୀତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ତା’ର ନାଁ ରଖାଯାଇଥିଲା ବନ୍ୟା। ରୀତାଙ୍କର ଜନ୍ମ ହେବାର କିଛି ସମୟ ପରେ ସମୁଦ୍ର ଜୁଆରରେ ଝାଡ଼ୁ ଭାସି ଯାଇଥିଲେ। ମାତ୍ର ରୀତା ନିଜ ନବଜାତକ କନ୍ୟାକୁ ସାଥୀରେ ଧରି ବଞ୍ଚି ଯାଇଥିଲେ। ଏହି ମହାବାତ୍ୟାରେ ନିଜର ସର୍ବସ୍ବ ହରାଇଥିବା ରୀତା ବହୁକଷ୍ଟରେ ବନ୍ୟାଙ୍କୁ ବଡ଼ କରି ବାହା ଦେଇସାରିଛନ୍ତି। ମାତ୍ର ଘରେ ଏକୁଟିଆ ଥିବା ରୀତାଙ୍କୁ ଦେଖିବା ପାଇଁ ବନ୍ୟା ବହୁଥର ଗାଁକୁ ଆସନ୍ତି । ମହାବାତ୍ୟାର ୨୧ ବର୍ଷ ପରେ ମଧ୍ୟ ଆମେ ରାଜ୍ୟ ସରକାରଙ୍କଠାରୁ କୌଣସି ସୁବିଧା ସୁଯୋଗ ମିଳି ନାହିଁ ବୋଲି ପରିବାର ଲୋକ ବାରମ୍ବାର ଅଭିଯୋଗ କରନ୍ତି ।