କମ ବୟସରେ ବଡ ଦାୟିତ୍ୱ । ୨୧ ବର୍ଷ ବୟସରେ ମେୟର ବନିବେ କଲେଜ ପଢୁଆ ଛାତ୍ରୀ । ଚର୍ଚ୍ଚାରେ ଦେଶର ସର୍ବ କନିଷ୍ଠ ମେୟର ଆର୍ଯ୍ୟା…

615

କନକ ବ୍ୟୁରୋ: ଆର୍ଯ୍ୟାଙ୍କ ଉପରେ ସାରା ଦେଶର ନଜର । କମ ବୟସରୁ ଲୋକଙ୍କୁ ବୁଝିଛନ୍ତି, ଲୋକଙ୍କ ପାଖରେ ପହଞ୍ଚିଛନ୍ତି । ସେଇଥିପାଇଁ ତ ଏତେ କମ ବୟସରେ ମେୟର ବନିବାକୁ ଯାଉଛନ୍ତି ଆର୍ଯ୍ୟା । ମାତ୍ର ୨୧ ବର୍ଷ ବୟସରେ ଆର୍ଯ୍ୟା ରାଜେନ୍ଦ୍ରନ ମେୟର ହେବାକୁ ଯାଉଛନ୍ତି ଯାହା ଦେଶର ସର୍ବକନିଷ୍ଠ ମେୟର ବୋଲି କୁହାଯାଉଛି । ଆଉ ଆର୍ଯ୍ୟାଙ୍କୁ ନେଇ ଏବେ ସାରା ସୋସିଆଲ ମିଡିଆ ଉଠୁଛି ପଢୁଛି । ଟ୍ୱିଟର, ଫେସବୁକ, ଇଷ୍ଟା ଖୋଲିଲେ ଆର୍ଯ୍ୟାଙ୍କୁ ଅଭିନନ୍ଦନ ଭରା ପୋଷ୍ଟ ଦେଖିବାକୁ ମିଳୁଛି ।

ତେବେ କଲେଜ ପଢୁଆ ଝିଅ ଆର୍ଯ୍ୟା କେରଳର ରାଜଧାନୀ ତିରୁଅନନ୍ତପୁରମର ମେୟର ହେବାକୁ ଯାଉଛନ୍ତି । କେରଳ ମ୍ୟୁନିସିପାଲ ନିର୍ବାଚନରେ  ବିଜୟବାନା ଉଡାଇଛନ୍ତି ଆର୍ଯ୍ୟା । ନିର୍ବାଚନରେ  ମୁଡାଭାନମୁଗାଲ ଆସନରୁ ସେ ବିଜୟୀ ହୋଇଛନ୍ତି । ସିପିଏମରୁ ଲଢୁଥିବା ଆର୍ଯ୍ୟା ୟୁଡିଏଫର ପ୍ରାର୍ଥୀ ଶ୍ରୀକାଲାଙ୍କୁ ପରାସ୍ତ କରିଛନ୍ତି । ୨୮୭୨ ଖଣ୍ଡ ଭୋଟରେ ହରାଇଛନ୍ତି ଆର୍ଯ୍ୟା । ତେବେ ବିଜୟୀ ପରେ ଆର୍ଯ୍ୟାଙ୍କ ନାମ ମେୟର ପାଇଁ ସୁପାରିଶ କରାଯାଇଛି । ତାଙ୍କ ନାମ ଉପରେ ମୋହର ବାଜିବା ପରେ ଆର୍ଯ୍ୟା ହେବେ ଦେଶର ସର୍ବ କନିଷ୍ଠ ମେୟର ।

ଏଆଇଆଇ ଷ୍ଟେନ କଲେଜରେ ବିଏସସି ପଢୁଛନ୍ତି ଆର୍ଯ୍ୟା । ମ୍ୟାଥ ଅନର୍ସରେ ୨ୟ ବର୍ଷର ଛାତ୍ରୀ ଥିବା ଆର୍ଯ୍ୟା ବାଲା ସଙ୍ଘମର ଜିଲ୍ଲା ସଭାପତି ଅଛନ୍ତି । ଏଥିସହ ସେ ସିପିଏମ ଶାଖା କଥା ବୁଝିବା ସହ ସିପିଏମ ବ୍ରାଞ୍ଚ କମିଟିର ସଦସ୍ୟ ଅଛନ୍ତି । ଯେଉଁଥି ପାଇଁ ସେ ପ୍ରାୟ ସମୟରେ ଲୋକଙ୍କ ସହ ଯୋଡି ହୋଇ ରୁହନ୍ତି ଆଉ ଲୋକଙ୍କ ଦୁଃଖ ସମସ୍ୟା ଜାଣନ୍ତି ।

ତେବେ ଆର୍ଯ୍ୟାଙ୍କ ବାପା ରାଜେନ୍ଦ୍ରନ ଜଣେ ଇଲେକ୍ଟ୍ରିସିଆନ ହୋଇଥିବା ବେଳେ ମା ଜଣେ ଏଲଆଇସି ଏଜେଣ୍ଟ । ଆଉ ଏତିକି ବେଳେ ଝିଅର ଏ ସଫଳତା, ବିଜୟ ପାଇଁ ବାପାମାଆ ବେଶ ଖୁସି ଅଛନ୍ତି । ଆଉ ଆର୍ଯ୍ୟାବି କମ ବୟସରେ ଏଭଳି ସଫଳତା ପାଇବାକୁ ଯାଉଥିବାରୁ ସୋସିଆଲ ମିଡିଆରେ ସେନସେସନ ପାଲଟିଛନ୍ତି ।