କନକ ବ୍ୟୁରୋ: ଦେଶର ବିଭିନ୍ନ ସ୍ଥାନରୁ ଆଜି ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଓଡିଶାକୁ ୨୧ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଆସିବ । ଏହି ଟ୍ରେନଗୁଡିକରେ ପ୍ରାୟ ୨୫ ହଜାର ପ୍ରବାସୀ ରାଜ୍ୟରେ ପହଁଚିବାର ସମ୍ଭାବନା ରହିଛି । ଆଜି ତାମିଲନାଡୁର କୋଏମ୍ବାଟୁରରୁ ୨ଟି ସ୍ୱତନ୍ତ୍ର ଟ୍ରେନ୍ ଆସିବ । ଏଥିରୁ ଗୋଟିଏ ଟ୍ରେନ୍ ବଲାଙ୍ଗୀର ଯିବାକୁ ଥିବାବେଳେ ଅନ୍ୟଟି ଭଦ୍ରକ ଷ୍ଟେସନରେ ଅଟକିବ । ସେହିପରି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ୫ଟି ଟ୍ରେନ୍ ଆସିବ । ଏଗୁଡିକ କଟକ, ବାଲେଶ୍ୱର, ଖୋର୍ଦ୍ଧା ରୋଡ, ଭଦ୍ରକ ଓ ନୂଆପଡା ରୋଡରେ ପହଁଚିବ । ସେହିପରି ତେଲେଙ୍ଗାନାର କାଜିପେଟଠାରୁ ଓଡିଶାକୁ ୩ଟି ଟ୍ରେନ୍ ଆସିବ ।

Advertisment

ଏଗୁଡିକ ବଲାଙ୍ଗୀର, ଅନୁଗୁଳ, ନୂଆପଡା ରୋଡରେ ଅଟକିବ । ମେହବୁବନଗରରୁ ଆସୁଥିବା ଟ୍ରେନ୍ ନୂଆପଡା ରୋଡରେ ଅଟକିବ । ବେଙ୍ଗାଲୁରରୁ ଗୋଟିଏ ଟ୍ରେନ୍ ଭୁବନେଶ୍ୱର ଆସିବ । ସୁରତରୁ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର, ପୁନେରୁ ବାଲେଶ୍ୱର, ମହାରାଷ୍ଟ୍ରର ଭସାଇରୋଡରୁ ଖୋର୍ଦ୍ଧାରୋଡ, ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ବଲାଙ୍ଗୀର, ମହାରାଷ୍ଟ୍ରର ବୋରିଭଲିରୁ ଗଞ୍ଜାମ, ଗୁଜୁରାଟର ଗାନ୍ଧିଧାମରୁ କଟକ ଜିଲ୍ଳାର ନିର୍ଗୁଣ୍ଡି, ଗୋଆର କର୍ମାଲିରୁ ଭବାନୀପାଟଣା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଆସିବାର ଅଛି । ତେବେ ଏତେ ସଂଖ୍ୟାରେ ପ୍ରବାସୀ ପହଁଚିବା ପରେ ସେମାନଙ୍କୁ ଟ୍ରେନରୁ ନେଇ ନିଜ ଅଂଚଳର ସଂଗରୋଧ କେନ୍ଦ୍ରରେ ରଖିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ । କାରଣ, କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଗୋଟିଏ ଦିନରେ ଓଡିଶାକୁ ପୂର୍ବରୁ ଏତେ ସଂଖ୍ୟାରେ ପ୍ରବାସୀ ଆସି ନଥିଲେ ।